ଭୁବନେଶ୍ୱର,୧୨/୬(ସତ୍ୟପାଠ ବ୍ୟୁରୋ): ଆସନ୍ତା ଦିନିକିଆ ବିଶ୍ୱକପ୍(ODI World Cup 2023) ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ମୁକାବିଲା ହେବା ନେଇ ସୂଚନା ମିଳିଛି। ଭାରତରେ ଖେଳା ଯିବାକୁ ଥିବା ଦିନିକିଆ ବିଶ୍ୱକପ୍ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ବୋଲି ସୂଚନା ମିଳିଛି। ବିସିସିଆଇ ପକ୍ଷରୁ ଆଇସିସିକୁ ଦିଆଯାଇଥିବା ଡ୍ରାଫ୍ଟ ସିଡ୍ୟୁଲ୍ରୁ ଏହି ସୂଚନା ମିଳିଛି।
ସୂଚନାଥାଉ କି, ଅକ୍ଟୋବର ୫ରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ସେପଟେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ହେବାକୁ ଥିବାବେଳେ ନଭେମ୍ବର ୧୯ରେ ଏହି ସ୍ଥାନରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ।





