ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆରମ୍ଭ ହଇଯାଇଛି ବିଜୁଳି ବନାମ ଗ୍ୟାସ ରାଜନୀତି । ଆଜି ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ ରେ ବିଞ୍ଚଣା ଧରି ରାସ୍ତାକୁ ଓହ୍ଲାଇବ ବିଜେପି । ଘନ ଘନ ବିଦ୍ୟୁତକାଟ୍ ପ୍ରତିବାଦରେ ବିଜେପି କରିବ ବିକ୍ଷୋଭ । ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ବିଜେପି କର୍ମୀ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ବିକ୍ଷୋଭ କରାଯିବ । ରାଜ୍ୟରେ ଶକ୍ତି ବିଭାଗର ଅପାରଗତା ଓ କମ୍ପାନି ପ୍ରୀତି ବିରୋଧରେ ଗର୍ଜିବ ବିଜେପି ଏନେଇ ରାଜ୍ୟ ବିଜେପିର ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି ସୁଚନା ଦେଇଥିଲେ ।
ସେପଟେ ବିଜେପିର ବିଦ୍ୟୁତ ବିକ୍ଷୋଭକୁ କାଉଣ୍ଟର କରିବାକୁ ଯାଇ ବିଜେଡି ଉଠାଇଛି ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ । ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ଧାରଣ ଦେବ ଦଳ । ସିଲିଣ୍ଡର ଧରି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି କର୍ମକର୍ତ୍ତା କମ୍ପାଇବେ ରାଜଧାନୀ । ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି । ୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦ ଟଙ୍କାରେ ପହଞ୍ଚିଛି । ୯ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢିଗଲାଣି । ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି । ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମକରୁଥିବା ବିଜୁ ଜନତାଦଳ ତୁରନ୍ତ ଏଲ୍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯଦି କେନ୍ଦ୍ରସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜୁ ଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁ ସ୍ତରରେ କରିବ ବୋଲି ଗତକାଲି ଗତକାଲି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଥିଲେ ।
ତେବେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଏବେଠୁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି । ଆଗକୁ ଏହି ଆରୋପ ପ୍ରତ୍ୟାରୋପର ରାଜନୀତି ଆହୁରି ଜୋର ଧରିବ ବୋଲି କୁହାଯାଉଛି ।





