RTI କର୍ମୀ ସର୍ବେଶ୍ଵର ବେହୁରା ଗିରଫ: ଦୁର୍ନୀତି ବିରୋଧରେ ମୁହଁ ବନ୍ଦ୍ କରିବାକୁ ସରକାରଙ୍କ ଷଡଯନ୍ତ୍ର

ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ବିଶିଷ୍ଟ ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରାଙ୍କୁ ପୋଲିସ ଗିରଫ କରିଛି। ତେବେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ବହୁ ଦୁର୍ନୀତିର ଖୁଲସା କରୁଥିବାରୁ ତାଙ୍କ ପାଟି ବନ୍ଦ୍ କରିଦେବାକୁ ସ୍ଥାନୀୟ ବିଜେଡ଼ି ନେତା ଓ ରାଜସ୍ବ ଅଧିକାରୀଙ୍କ ମିଳିତ ଷଡଯନ୍ତ୍ର କରି ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛନ୍ତି ବୋଲି ସର୍ବେଶ୍ଵର ଏବଂ ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।

ତେବେ ସର୍ବେଶ୍ଵର ରାଜ୍ୟର ଜଣେ ଆଗଧାଡିର ସୂଚନା ଅଧିକାର କର୍ମୀ ହୋଇଥିବା ବେଳେ ସେ ଅନେକ ଦୁର୍ନୀତିର ଖୁଲାସା କରିଛନ୍ତି। ସେ ବାରମ୍ବାର ସରକାରୀ ଦଳ ନେତାଙ୍କ ଦୁର୍ନୀତି ସଂପୃକ୍ତିକୁ ଲୋକଲୋଚନକୁ ଆଣିଥିବାରୁ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯିବାନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ୨୦୨୨ ମସିହାରେ ଏଭଳି ମିଥ୍ୟା ଷଡଯନ୍ତ୍ର କରି ତାଙ୍କୁ ଗିରଫ କରାଯାଇଛି ଏପରିକି ଗତ ୨୦୨୧ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ତାଙ୍କୁ ବୋମାମାଡ କରି ହତ୍ୟା ଉଦ୍ୟମ କରାଯାଇଥିଲା।

ଖବର ଅନୁଯାୟୀ, ସର୍ବେଶ୍ଵର ବେଆଇନ ଖନନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ଧର୍ମଶାଳାର ତହସିଲଦାର ଗିରଫ କରିଛନ୍ତି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରଚୁର ପରିମାଣର ଖଣିଜ ସମ୍ପଦ, ବିଶେଷ ମୂଲ୍ୟବାନ ପଥର ରହିଛି। ବର୍ଷ ବର୍ଷ ଧରି ଶାସକ ବିଜୁ ଜନତା ଦଳର ନେତା ତଥା ସ୍ଥାନୀୟ ବିଧାୟକଙ୍କ ତତ୍ତ୍ଵାବଧାନରେ ବିଚାଖଣ୍ଡି, ଡଙ୍କାରୀ, ଓ ଅରୁହା ଆଦି ପାହାଡକୁ ବେଆଇନ ଭାବେ ଖନନ କରି ମୂଲ୍ୟବଲ୍ କଳ ମୁଗୁନି ପଥର ଲୁଟ୍ ହେଉଛି। ଧର୍ମଶାଳା ର ପୂର୍ବତନ ବିଧାୟକ ସ୍ବର୍ଗତ କଳ୍ପତରୁ ଦାସଙ୍କ ସମୟରୁ ଚାଲି ଆସିଥିବା ଏହି ଲୁଟ୍ ଦ୍ଵାରା ରାଜ୍ୟ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଆଉ ଏହି ଲୁଟ୍ ସ୍ଥାନୀୟ ବିଜେଡି ନେତା, ତହସିଲଦାର, ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ, ଜଙ୍ଗଲ ବିଭାଗ, ପୋଲିସଙ୍କ ମିଲିଭଗତରେ ଚାଲିଛି । ଆଉ ଏହା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହନ ଦେଇ ଆସୁଛି।

୨୦୧୦ ମସିହାରୁ ଆରଟିଆଇ କର୍ମୀ ଭାବେ ସର୍ବେଶ୍ଵର ବ୍ୟାପକ ସଚେତନତା ସହ ଅନେକ ଦୁର୍ନୀତି ମାମଲାର ଖୁଲାସା କରିଆସୁଛନ୍ତି। ଆରଟିଆଇ ଅଧିନିୟମକୁ ବ୍ୟାପକ ଭାବରେ ପରିଚାଳନା କରି ସେ ତଥ୍ୟ ହାସଲ କରିଛନ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି, ହାଇକୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି, ଏନଜିଟିରେ ମାମଲା ରୁଜୁ କରିଛନ୍ତି। ଆଉ ସର୍ବେଶ୍ଵରଙ୍କ ନିରନ୍ତର ଉଦ୍ୟମ ଦ୍ଵାରା ଡଙ୍କାରୀ ଏବଂ ବିଛାଖଣ୍ଡି ପାହାଡ଼ରେ ବେଆଇନ ଖଣି ଖନନ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିଛାଖଣ୍ଡୀ ପାହାଡ ଖଣିରେ ଚୋରି ଘଟଣାର ତଦନ୍ତ ପାଇଁ ଲୋକାୟୁକ୍ତ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିବାବେଳେ ଅରୁହା ଖଣି ଲୁଟ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନେଇଥିଲା। ଏଥିସହ ସର୍ବେଶ୍ଵର ଙ୍କ ଅଭିଯୋଗ ପରେ ବ୍ଲକ୍ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିବା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ତାଙ୍କ ବ୍ୟକ୍ତିଗତ ଜାଗାକୁ ରାସ୍ତା ନିର୍ମାଣ ପାଇଁ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ମଧ୍ୟ ଅନୁସନ୍ଧାନ ଚାଲିଛି।

ବର୍ତ୍ତମାନ ଭିଜିଲାନ୍ସର ତଦନ୍ତ ଜାରି ରହିଥିବା ବେଳେ ବିଜେଡି ଦଳର ଖଣି ମାଫିଆମାନେ ବିଚାଖଣ୍ଡି ପାହାଡରୁ କଳା ପଥର ଉତ୍ତୋଳନ ଜାରି ରଖିଛନ୍ତି। ଏହି ଅବୈଧ ପଥର ଖନନ ଦ୍ଵାରା ନିକଟରେ ଦୁଇଜଣ ନିରୀହ ଶ୍ରମିକ ପ୍ରାଣ ମଧ୍ୟ ହରାଇଛନ୍ତି। ଏହି ଘଟଣାକୁ ନେଇ ସର୍ବେଶ୍ଵର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିବା ପରେ ଖଣି ମାଫିଆ ଏବଂ ବିଜେଡି ଦଳର ସ୍ଥାନୀୟ ନେତାଙ୍କ ଅଡ଼ୁଆ ବଢ଼ିଯାଇଥିଲା। ତେଣୁ ଏବେ ଏକ ସୁଚିନ୍ତିତ ଷଡଯନ୍ତ୍ର କରି ମିଥ୍ୟା ଅଭିଯୋଗରେ ସରବଶ୍ୱରଙ୍କୁ ଗିରଫ କରାଯାଇଛି।

ତେବେ ବିଗତ ଏକ ଦଶନ୍ଧି ଧରି ସର୍ବେଶ୍ଵର ଏବଂ ତାଙ୍କ ପରିବାର କ୍ରମାଗତ ଭାବେ ଆକ୍ରମଣ, ମୃତ୍ୟୁ ଧମକ, ମିଥ୍ୟା ଅପରାଧିକ ମାମଲା ଏବଂ ହତ୍ୟା ଉଦ୍ୟମର ସାମ୍ନା କରିଥିଲେ ମଧ୍ୟ ଦୁର୍ନୀତି ବିରୋଧରେ ଅବିରତ ଲଢେଇ ଜାରି ରଖିଛନ୍ତି ।

Related Posts