ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭିକେ. ପାଣ୍ଡିଆନଙ୍କୁ ନେଇ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ଛାୟା ଯୁଦ୍ଧ ଥମିବାର ନାଁ ଧରୁନାହିଁ | ଏବେ ବିଜେପି ଓ ବିଜେଡି ମୁହାଁମୁହିଁ ସ୍ଥିତିରେ | ପ୍ରଥମେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକଙ୍କୁ ପାଣ୍ଡିଆନଙ୍କ ଗସ୍ତ ସମ୍ପର୍କରେ ଯେଉଁ ବିବୃତ୍ତି ଦେଇଥିଲେ ସେଥିରେ ପାଣ୍ଡିଆନଙ୍କ ଗସ୍ତକୁ ଅସାମ୍ବିଧାନିକ ବୋଲି କହିବା ସହ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ସିଧାସଳଖ ସମାଲୋଚନା କରିଥିଲେ |
ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଲୋକେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇଛନ୍ତି | ଏହା ସମ୍ବିଧାନର କୌଣସି ସ୍ଥାନରେ ଲେଖାଯାଇନାହିଁ ଯେ ମୁଖ୍ୟମନ୍ତ୍ରୀ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ତାଙ୍କର ଦାଇତ୍ୱକୁ ହସ୍ତାନ୍ତର କରି ପାରିବେ | ଧର୍ମେନ୍ଦ୍ରଙ୍କ ଏହି ବିବୃତ୍ତି ପରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର କାଉଣ୍ଟର ଆଟାକ କରାଯାଇଥିଲା | ଆଉ ଏହାପରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଟୁଇଟ ଆଉ ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ରଙ୍କ କାଉଣ୍ଟର ଟୁଇଟ ପରେ ଲୋକେ ଭାବୁଥିଲେ ଯେ ଏହି ବିବାଦ ଥମିଗଲା | ତେବେ ହଠାତ ପୁଣି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ରଙ୍କ ନାଁ ନନେଇ ତାଙ୍କୁ ଆଟାକ କରିଛନ୍ତି | ଅମର ଟୁଇଟ କରି ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ଜଣେ ବିଫଳ ଓ ଦଳ ଭିତରେ କଣଠେସା ହୋଇଥିବା ନେତା ବୋଲି କହିଛନ୍ତି | ଏହାସହିତ ଧର୍ମେନ୍ଦ୍ର ନିଜର ଅସହାୟତା ଓ ନିରାଶା ଭାବ କୁ ଲୁଚାଇବାକୁ ଯାଇ ଜଣେ ବ୍ୟୁରୋକ୍ରାଟଙ୍କୁ ଯେଭଳି ଭାବରେ ଟାର୍ଗେଟ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଅମର |
ଅମର ପଟ୍ଟନାୟକଙ୍କ ଟୁଇଟ ପରେ ପରେ ମୈଦାନକୁ ଓଲ୍ହାଇଲେ ଭାରତୀୟ ଜନତା ପାର୍ଟିର ଉପ-ସଭାନେତ୍ରୀ ଡ଼. ଲେଖାଶ୍ରୀ ସାମନ୍ତସିଂହାର | ଅମରଙ୍କୁ କାଉଣ୍ଟର ଟୁଇଟ କରି ଲେଖାଶ୍ରୀ ଲେଖିଲେ ଯେ ଅମର ପଟ୍ଟନାୟକ ନିଜେ ଜଣେ ପୂର୍ବତନ ବ୍ୟୁରୋକ୍ରାଟ ହୋଇଥିବା ସତ୍ୱେ ଭାରତୀୟ ସମ୍ବିଧାନ ବିରୋଧୀ ତଥା କ୍ଷମତା ପ୍ରତି ଅତ୍ୟନ୍ତ ଆଗ୍ରହୀ ବ୍ୟୁରୋକ୍ରାଟ ପାଣ୍ଡିଆନଙ୍କ ସପକ୍ଷରେ ଏଭଳି ଲେଖା ଲେଖିବା ଅତ୍ୟନ୍ତ ନିନ୍ଦନୀୟ | ଏହା ଅମରଙ୍କ ନିକଟରେ ଏହା ଶୋଭା ପାଉନାହିଁ ବୋଲି ଲେଖାଶ୍ରୀ ଲେଖିଲେ |
ଆଉ ସେପଟେ ଲେଖାଶ୍ରୀଙ୍କ ଟୁଇଟର ଜବାବ ତୁରନ୍ତ ଅମର ପଟ୍ଟନାୟକ ଦେଲେ | ପୁଣି ଟୁଇଟ କରି ଅମର କହିଲେ ଯେ, ମୁଁ ଓଡ଼ିଶାରେ ଜଣେ ବ୍ୟୁରୋକ୍ରାଟ ଭାବେ କାର୍ଯ୍ୟ କରୁଥିଲି କିନ୍ତୁ ମୋ କାମରେ ମୁଁ କେବେ ବୁଝାବଣା କରିନାହିଁ | ଓଡ଼ିଶାରେ କାମ କରିବା ବେଳେ ସରକାରଙ୍କ ବିରୋଧୀ ଅଡିଟ ରିପୋର୍ଟ ପ୍ରସ୍ତୁତ କରିଥିବା ସତ୍ୱେ ମୋ ବିରୋଧରେ ରାଜ୍ୟ ସରକାର କେବେ ବ୍ୟକ୍ତିଗତ ଆକ୍ଷେପ ବା ଆକ୍ରମଣ କରି ନାହାନ୍ତି | ତେଣୁ ବିଜେପି ନେତା ମାନେ ଏ ଶିଷ୍ଟାଚାର ନବୀନ ବାବୁଙ୍କ ଠାରୁ ଶିଖିବା ଉଚିତ ବୋଲି ଲେଖାଶ୍ରୀଙ୍କୁ ପାଲଟା ପରାମର୍ଶ ଦେଲେ ଅମର |
କଥା ଏତିକିରେ ସରିଲା ନାହିଁ ପୁଣି ଲେଖାଶ୍ରୀ ଅମରଙ୍କୁ କାଉଣ୍ଟର କଲେ ଆଉ ଲେଖିଲେ ଯେ, କ୍ଷମତା ପାଇଁ ଅମର ବାବୁ ଆପଣ ନିଜର ଆତ୍ମା ଓ ନିଜର ବୃତ୍ତି ପ୍ରତି ଥିବା ସମର୍ପଣ ଭାବ ସବୁ ବିକି ଦେଇଥିଲେ, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ |

ଲେଖାଶ୍ରୀ ସାମନ୍ତସିଂହାର ଓ ଅମର ପଟ୍ଟନାୟକଙ୍କ ଟୁଇଟ ୱାର ଭିତରେ ମଜା କଥାଟି ହେଲା ଯେ ବିଜେପି ଓ ବିଜେଡି ଏବେ ନିର୍ଦ୍ଧିଷ୍ଟ ରାଜନୈତିକ ଆଦର୍ଶକୁ ନେଇ ଲଢୁ ନାହାନ୍ତି | ନା ବିଜେପି ନେତା ନବୀନ ବାବୁଙ୍କୁ ଟାର୍ଗେଟ କରୁଛନ୍ତି ନା ବିଜେଡି ନେତା ନରେନ୍ଦ୍ର ମୋଦିଙ୍କୁ କିଛି କହୁଛନ୍ତି | ଏବେ ଜଣେ ବ୍ୟୁରୋକ୍ରାଟ ଭିକେ. ପାଣ୍ଡିଆନଙ୍କୁ ନେଇ ରାଜନୀତି ସରଗରମ | ବିଜେପି କହୁଛି ଅସାମ୍ବିଧାନିକ ଆଉ ବିଜେଡି କହୁଛି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓଡିଶାବାସୀଙ୍କ ବିକାଶ ପାଇଁ ହିଁ ସମର୍ପିତ | ମାତ୍ର ଏହି ଝଗଡା ଭିତରେ ଯେଉଁ ଗୋଟିଏ କଥା ଦେଖିବାକୁ ମିଳୁଛି ତାହା ହେଉଛି ଯେ ପାଣ୍ଡିଆନଙ୍କ ପଛରେ ପୁରା ବିଜୁ ଜନତା ଦଳର ର୍ୟାଙ୍କ ଆଣ୍ଡ ଫାଇଲ ଏକଜୁଟ ହୋଇ ଛିଡା ହୋଇଛନ୍ତି | କିନ୍ତୁ ଧର୍ମେନ୍ଦ୍ରଙ୍କ ପଛପଟକୁ ଭାରତୀୟ ଜନତା ପାର୍ଟିର ପୁରା ର୍ୟାଙ୍କ ଆଣ୍ଡ ଫାଇଲ ଛିଡା ହେବାଭଳି ମନେ ହେଉନାହିଁ |





