ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରିବା ବେଳେ ଦେଶର ଟପ ରେସଲରମାନଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆରକୁ ଦିଲ୍ଲୀ ପୁଲିସ୍ ଗୁରୁବାର ପ୍ରତ୍ୟାହାର କରି ନେଇଛି। ମେ’ ୨୮ ତାରିଖରେ ରେସଲରମାନେ ବ୍ରିଜ ଭୂଷଣଙ୍କ ଗିରଫ ଦାବିରେ ସଂସଦର ନୂଆ ବିଲଡିଂ ଅଭିମୁଖେ ଯାଉଥିଲେ।
ସେମାନଙ୍କୁ ଦିଲ୍ଲୀ ପୁଲିସ୍ ଅଟକାଇବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ସମସ୍ତଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ତେବେ ଦିନକ ପରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ଭଳି ଷ୍ଟାର ରେସଲରମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ଏଫଆଇଆର ରୁଜୁ କରିଥିଲା।
ଦେଶକୁ ଗର୍ବିତ କରିଥିବା ରେସଲରମାନଙ୍କ ବିରୋଧରେ ପୁଲିସର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲେ। ସେହିପରି ରେସଲରମାନେ ମଧ୍ୟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ବେଳେ ଦିଲ୍ଲୀ ପୁଲିସ୍ ରୁଜୁ କରିଥିବା ଏଫଆଇଆର ପ୍ରତ୍ୟାହାର କରିବା ସହିତ ବ୍ରିଜ ଭୂଷଣଙ୍କ ନାଁରେ ଜୁନ 15 ସୁଦ୍ଧା ଚାର୍ଜସିଟ ଦାଖଲ କରିବାକୁ ଦାବି କରିଥିଲେ। ଏବେ ଉକ୍ତ ଦାବିକୁ ଆଧାର କରି ଦିଲ୍ଲୀ ପୁଲିସ୍ ରେସଲରମାନଙ୍କ ବିରୋଧରେ ରୁଜୁ କରିଥିବା ସମସ୍ତ ଏଫଆଇଆରକୁ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି। ସେହିପରି ଗତ କଲି ମଧ୍ୟ ବ୍ରିଜ ଭୂଷଣଙ୍କ ନାଁରେ 1000 ପୃଷ୍ଠାର ଚାର୍ଜସିଟ ମଧ୍ୟ ଦିଲ୍ଲୀ ପୋଲିସ ଦାଖଲ କରିଛି |
