ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ପୁଣି ଶିକାରୀ ଗୁଳିରେ ଗଲା ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ। ଏଥର ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ପ୍ରାଣହାନି ଘଟିଛି। ସେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ାର ଫରେଷ୍ଟର ମାଟିଆ ହାଁସଦା (୪୫) ବୋଲି ଜଣାଯାଇଛି।
ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ରାତିରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ମାଟିଆ ହଁ।ସଦାଙ୍କ ଦେହରେ ଗୁଳିଟିଏ ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ତାଙ୍କୁ ତତକ୍ଷଣାତ୍ କରଞ୍ଜିଆ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଘଟଣାସ୍ଥଳରେ ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଈ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଓ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏଦେଲବେଡ଼ା ବୁରୁସାହିରୁ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଗତ ମାସରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଗୁଳି କରି ବିମଳ କୁମାର ଜେନା ନାମକ ଜଣେ ବନରକ୍ଷୀଙ୍କୁ ହତ୍ୟା କରିଥିଲେ। ତାଙ୍କ ଘର ବାରିପଦା ଟାଉନ୍ ଥାନା ଭଞ୍ଜପୁର ଅଞ୍ଚଳରେ। ଶିକାରୀଙ୍କ ଗୁଳିରେ ଶିମିଳିପାଳ ଅଭୟାରଣ୍ୟର ବନରକ୍ଷୀ ବିମଳ ଜେନାଙ୍କ ମୃତ୍ୟୁ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୁଲିସର ସ୍ପେଶାଲ୍ ସ୍କ୍ବାଡ୍କୁ ପରେ ଅବଶ୍ୟ ମିଳିଥିଲା ବଡ଼ ସଫଳତା। ଜଙ୍ଗଲରେ ଦୀର୍ଘ ୪୮ ଘଣ୍ଟାର କମ୍ବିଂ ଅପରେସନ୍ ଓ ବିଭିନ୍ନ ସ୍ଥାନରେ ଖାନତଲାସ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବନ୍ଧୁକ ଓ ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବାଙ୍ଗିରିପୋଷି ବ୍ଲକ୍ ବଡ଼ଗାଁ ପଞ୍ଚାୟତ ସୁନାପୋଷି ଗ୍ରାମର ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂ (୫୨), କୁଆଳି ଗ୍ରାମର ଶୁକୁଲାଲ ମାରାଣ୍ଡି (୩୭) ଓ ସୁନାପୋଷି ଜରଗାଡେହି ଗ୍ରାମର ଜୁଗୁଳୁ ସିଂ (୩୮)।





