ଧର୍ମେନ୍ଦ୍ରଙ୍କ ଲଢେଇ ଆଉ ନବୀନଙ୍କ ସହ ନୁହେଁ ବୋଲି ଜଣାଇଦେଲା ସୂର୍ଯ୍ୟବଂଶୀଙ୍କ ଫେସବୁକ ପୋଷ୍ଟ

ଭୁବନେଶ୍ୱର,୧୯/୬(ସତ୍ୟପାଠ ବ୍ୟୁରୋ): 2024 ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ନେତା ମାନଙ୍କର ବିଚିତ୍ର କାର୍ଯ୍ୟକଳାପ ସବୁ ଦେଖିବାକୁ ମିଳୁଛି | ଏବେ ନୂଆକରି ବିଧାୟକ ହୋଇଥିବା ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କର ଏକ ଫେସବୁକ ପୋଷ୍ଟ ଏବେ ଚର୍ଚ୍ଚାରେ | ଆଉ ଏହି ଫେସବୁକ ପୋଷ୍ଟରେ ଯେଉଁ କଥାଟି ସୁରଜ ଲେଖିଛନ୍ତି ତାହା ବିଜୁ ଜନତା ଦଳର ଯାହା କ୍ଷତି କରୁ ବା ନକରୁ ତାଙ୍କ ନିଜ ଦଳର ଅନ୍ୟତମ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିନ୍ତୁ ବରବାଦ କରିଦେବ | ସୁରଜ ବିଚରା ଧର୍ମେନ୍ଦ୍ର ଭାଇଙ୍କୁ ଟେକିବାକୁ ଯାଇ ଯେଉଁ ଫେସବୁକ ପୋଷ୍ଟ ଟିଏ କରିଛନ୍ତି ଏହା ଧର୍ମେନ୍ଦ୍ରଙ୍କୁ ଟେକିବା ତ ଦୂରର କଥା ବରଂ ତାଙ୍କୁ ଟେକି କଚାଡ଼ିଲା ଭଳି ହୋଇଛି |

ସୂର୍ଯ୍ୟବଂଶୀ ତାଙ୍କ ପୋଷ୍ଟରେ ଲେଖୁଛନ୍ତି ଯେ, ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ଦଳ ନିର୍ବିଶେଷ ରେ କିଏ ଓଡ଼ିଶାର ଅଧିକ ଉନ୍ନତି କରି ପାରିବ ? ଆଉ ଏଥିରେ ସେ ଦୁଇଟି ଅପସନ ଦେଇଛନ୍ତି | ପ୍ରଥମରେ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଆଉ ତଳେ ଲେଖାଯାଇଛି ଓଡ଼ିଶାରେ ଜନ୍ମିତ | ଆଉ ଦ୍ଵିତୀୟ ଅପସନରେ ରହିଛନ୍ତି ଭିକେ ପାଣ୍ଡିଆନ ଆଉ ତଳେ ଲେଖାଯାଇଛି ତାମିଲନାଡୁରେ ଜନ୍ମିତ | ଏବେ ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବରେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ତୁ ତୁ ମେଁ ମେଁ ଚାଲିଛି ତାକୁ ହିଁ ଦେଖି ସୁରଜ ଏହି ପୋଷ୍ଟଟି ପକାଇ ଦେଇଛନ୍ତି | କିନ୍ତୁ ଏହି ପୋଷ୍ଟରୁ ଯେଉଁ କଥାଟି ଏବେ ସ୍ପଷ୍ଟ ହେଉଛି ତାହା ହେଲା, ଭାରତୀୟ ଜନତା ପାର୍ଟି ଆଉ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ନେତୃତ୍ୱ ଓ କର୍ମୀ ଏବେ ନିଶ୍ଚୟ କରି ସାରିଲେଣି ଯେ, ଭାରତୀୟ ଜନତା ପାର୍ଟି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢେଇ ଏବେ ଆଉ ନବୀନ ପଟ୍ଟନାୟକ କିମ୍ବା ବିଜୁ ଜନତା ଦଳ ସହିତ ନାହିଁ| ଅର୍ଥାତ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢେଇ ଏବେ ଭିକେ ପାଣ୍ଡିଆନଙ୍କ ସହିତ |

ଏହାଦ୍ୱାରା ଧର୍ମେନ୍ଦ୍ର ପ୍ରଧାନ ଯେଉଁ ନିଜକୁ ନବୀନ ବାବୁଙ୍କର ବିକଳ୍ପ ଭାବେ ପ୍ରୋଜେକ୍ଟ କରିବାକୁ ପ୍ରୟାସ କରୁଛନ୍ତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି, ସୁରଜ ସୂର୍ଯ୍ୟବଂଶୀଙ୍କ ଏହି ଫେସବୁକ ପୋଷ୍ଟ ଟି ଏବେ ଧର୍ମେନ୍ଦ୍ର ବାବୁଙ୍କ ଲେବଲକୁ ନବୀନଙ୍କ ପାଖରୁ ଟାଣି ଆଣି ଏବେ ପ୍ରଶାସନର ଦୁଇ ନମ୍ବରକୁ ନେଇ ଆସିଛି | ଅର୍ଥାତ ଭାରତୀୟ ଜନତା ପାର୍ଟି ପରୋକ୍ଷରେ ସ୍ୱୀକାର କରୁଛି ଯେ ରାଜନୈତିକ ସ୍ତରରେ ବିଜୁ ଜନତା ଦଳ ସହ ଲଢେଇ ନାହିଁ ବରଂ ପ୍ରଶାସନିକ ଅଧିକାରୀ ଭିକେ ପାଣ୍ଡିଆନଙ୍କ ସହ ଅସଲ ଲଢେଇ ରହିଛି |

କାରଣ ଏପର୍ଯ୍ୟନ୍ତ ନା ତ ବିଜୁ ଜନତା ଦଳ ପକ୍ଷରୁ ଭିକେ ପାଣ୍ଡିଆନଙ୍କୁ ନବୀନ ବାବୁଙ୍କ ବିକଳ୍ପ ଭାବରେ ଘୋଷଣା କରାଯାଇଛି ନା ପାଣ୍ଡିଆନ ଚାକିରୀ ଛାଡି ବିଜୁ ଜନତା ଦଳରେ ଯୋଗଦେଇ ଦଳର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି | ଯଦି ଏହା ହୋଇନାହିଁ ତାହେଲେ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକଙ୍କ ଏହି ପୋଷ୍ଟ କାହିଁକି ? ବାସ୍ତବରେ ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣଗାନ ପାଇଁ ନା ତାଙ୍କୁ ମଧ୍ୟ ଦୁଇ ନମ୍ବର ନେତା ଭାବେ ଦର୍ଶାଇ ତାଙ୍କର ପତିଆରା ହ୍ରାସ କରିବା ପାଇଁ ଏହା କରାଯାଇଛି ?

ସୁରଜ ସୂର୍ଯ୍ୟବଂଶୀଙ୍କ ଏହି ପୋଷ୍ଟ ଗତକାଲି ସନ୍ଧ୍ୟା ପ୍ରାୟ ୮ ଟା ପର୍ଯ୍ୟନ୍ତ ଫେସବୁକରେ ଥିଲା | ତା ପରେ ଏହା ଆଉ ତାଙ୍କ ଟାଇମଲାଇନ ରେ ଦେଖିବାକୁ ମିଳୁନାହିଁ | ଏବେ ପ୍ରଶ୍ନ ଉଠୁଛି ସୁରଜ ସୂର୍ଯ୍ୟବଂଶୀଙ୍କ ଏହା ନିଜସ୍ୱ ପୋଷ୍ଟିଂ ଥିଲା ନା ତାଙ୍କ ଫେସବୁକ ଯିଏ ହ୍ୟାଣ୍ଡେଲ କରୁଛନ୍ତି ସେ ଏହାକୁ ଅପଲୋଡ କରିଥିଲେ ? ବା ତାଙ୍କର ଫେସବୁକ ହ୍ୟାକ କରାଯାଇ ଏହି ପୋଷ୍ଟ କରାଯାଇଥିଲା | ସେ ଯାହାବି ହେଉ ନା କାହିଁକି ଯେହେତୁ ଏହି ତିନୋଟି ପ୍ରଶ୍ନର ସ୍ପଷ୍ଟୀକରଣ ଏଯାଏଁ ଆସିନାହିଁ ତେଣୁ ଏହାହିଁ ଗ୍ରହଣ କରି ନେବାକୁ ପଡିବ ଯେ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତୀୟ ଜନତା ପାର୍ଟିର ଲଢେଇ ଏବେ ନବୀନ ବାବୁଙ୍କ ସହ ନାହିଁ |

Related Posts