‘Love in London’ ସଫଳତା କହିବ ଅନୁଭବଙ୍କ ରାଜନୀତି ଭବିଷ୍ୟତ

ବିଜୁ ଜନତା ଦଳର ସାଂସଦ ତଥା ଓଡ଼ିଆ ସିନେ ଜଗତର ଲୋକପ୍ରିୟ କଳାକାର ଅନୁଭବ ମହାନ୍ତିଙ୍କର ସଦ୍ୟ ରିଲିଜ ହୋଇଥିବା ଲଭ ଇନ ଲଣ୍ଡନ ଏବେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ହାଉସଫୁଲ ହେବାସହ ଖୁବ ଭଲ ବିଜନେସ କରୁଛି ବୋଲି ଖବର ମିଳୁଛି | ଓଡ଼ିଶାରେ ଅନୁଭବଙ୍କ ଫ୍ୟାନଙ୍କ ସମେତ ଫିଲ୍ମର ଡ଼ାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ଚିନ୍ତା ଥାଇପାରେ ଯେ ଫିଲ୍ମ ଟି ହିଟ ହେଲେ ବ୍ୟବସାୟିକ ସଫଳତା ମିଳିବା ସହ ଖର୍ଚ୍ଚ ହୋଇଥିବା ପଇସାର ରିଟର୍ନ ମିଳିପାରିବ | ତେବେ ଫିଲ୍ମକୁ ନେଇ ଅନୁଭବଙ୍କ ଚିନ୍ତା କିନ୍ତୁ ଭିନ୍ନ | ଫିଲ୍ମର ବ୍ୟବସାୟିକ ସଫଳତା ଅପେକ୍ଷା ଫିଲ୍ମର ସଫଳତାକୁ ନେଇ ଅନୁଭବଙ୍କ ଚିନ୍ତା ଅନ୍ୟ ଜାଗାରେ |

ଏହାର କାରଣ ହେଉଛି ଯେ ଲଭ ଇନ ଲଣ୍ଡନର ସଫଳତା ଉପରେ ଅନୁଭବଙ୍କ ରାଜନୈତିକ କ୍ୟାରିୟର ନିର୍ଭର କରୁଛି | ଯଦି ଲଭ ଇନ ଲଣ୍ଡନ ସୁପର ଡୁପର ହିଟ ହେଲା ତାହେଲେ ବିଜୁ ଜନତା ଦଳ ହେଉ କିମ୍ବା ଭାରତୀୟ ଜନତା ପାର୍ଟି ହେଉ ଏହି ଦୁଇଟି ଜାଗାରେ ଅନୁଭବଙ୍କ ରାଜନୈତିକ କ୍ୟାରିୟର ସ୍ଥିର ହୋଇପାରିବ ଓ ଟିକେଟ ଟିଏ ମିଳିବ | କାରଣ 2019 ରେ କେନ୍ଦ୍ରାପଡାରୁ ସାଂସଦ ଭାବରେ ଜିତିବା ପରଠାରୁ ବିଭିନ୍ନ ସ୍କାଣ୍ଡାଲରେ ଅନୁଭବ ମହାନ୍ତି ଛନ୍ଦି ହୋଇପଡିଛନ୍ତି | ଆଉ ସବୁଠାରୁ ବଡ଼ ବିବାଦ ହେଉଛି ତାଙ୍କର ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ଘରୋଇ କଳି ଓ ଛାଡପତ୍ର ମାମଲା |

ପରିସ୍ଥିତି ଏବେ ଏଭଳି ଯେ ବିଜୁ ଜନତା ଦଳର ନେତୃତ୍ୱ ଖୁଲମଖୁଲା ଭାବରେ ଅନୁଭବ ମହାନ୍ତିଙ୍କ ପଛରେ ନାହାନ୍ତି ଏକଥା ସମସ୍ତେ ଜାଣନ୍ତି | କେନ୍ଦ୍ରାପଡାରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ଯେତିକି ବ୍ୟାକ ଅଫ ସପୋର୍ଟ ମିଳିବା କଥା ସେତିକି ମିଳୁନାହିଁ | ଦୀର୍ଘ 4 ବର୍ଷ ହେଲା ଅନୁଭବ ବିଜେଡିରେ ଏକପ୍ରକାର କଣଠେସା ହୋଇ ପଡିଛନ୍ତି | 2024ରେ ଅନୁଭବଙ୍କୁ କେନ୍ଦ୍ରାପଡାରେ ଟିକେଟ ମିଳୁନାହିଁ ବୋଲି ଏକପ୍ରକାର ଦଳୀୟ ନେତୃତ୍ୱ ତାଙ୍କ ନିଷ୍ପତ୍ତି ମାର୍କେଟକୁ ବିଭିନ୍ନ ଉପାୟରେ ଛାଡି ସାରିଲେଣି | ସେଭଳି ପରିସ୍ଥିତିରେ ବହୁ ଦିନ ହେଲା ଫିଲ୍ମ କରି ନଥିବା ଅନୁଭବ ମହାନ୍ତି କିନ୍ତୁ ଠିକ ସମୟରେ ଲଭ ଇନ ଲଣ୍ଡନ ଫିଲ୍ମରେ ଅଭିନୟ କରିବାର ରଣନୀତି ଟିଏ ଖେଳିଛନ୍ତି | ଆଉ ଲଭ ଇନ ଲଣ୍ଡନକୁ ମଧ୍ୟ ଅନୁଭବ ଠିକ ସମୟରେ ରିଲିଜ କରିଛନ୍ତି |

ନିର୍ବାଚନ ପ୍ରକ୍ରିୟା ଏବେ ଅପାତତଃ ଉଭୟ ବିଜେଡି ଓ ବିଜେପି ଦଳରେ ଆରମ୍ଭ ହୋଇ ସାରିଲାଣି | ଏବେ ଲଭ ଇନ ଲଣ୍ଡନ ରିଲିଜ ହେବା ପରେ ବିଜୁ ଜନତା ଦଳର ନେତୃତ୍ୱ ଏହି ଫିଲ୍ମର ସଫଳତା ଓ ଏହାକୁ ନେଇ କଣ ରିଭ୍ୟୁ ମିଳୁଛି ତା ଉପରେ ନଜର ରଖିଛନ୍ତି | ଏଥିସହିତ ଲଭ ଇନ ଲଣ୍ଡନର ସଫଳତା ଅନୁଭଵଙ୍କ ଭାବମୂର୍ତ୍ତି ଉପରେ କିଛି ସକାରାତ୍ମକ ପ୍ରଭାବ ପକାଉଛି ନା ନାହିଁ ତାହା ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ଆକଳନ କରାଯାଉଛି | କାରଣ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ଘରୋଇ କଳି, ହିଂସା ଆଦି ଅନେକ ଅଭିଯୋଗ ଆଣିବା ପରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଭଳି ବିରୋଧୀ ଦଳ ପକ୍ଷରୁ ଅନୁଭବଙ୍କ ନାଁ ରେ ସଭା ସମିତି ପ୍ରତିବାଦ ଏପରିକି ତାଙ୍କୁ ଗିରଫ ଦାବି ମଧ୍ୟ କରାଯାଇଥିଲା | ଅର୍ଥାତ ଅନୁଭବଙ୍କ ନାଁରେ ପତ୍ନୀଙ୍କ ପ୍ରତି ଘରୋଇ ହିଂସାର ଯେଉଁ ଗୁରୁତର ଅଭିଯୋଗ ଆସିଛି ଏ ଫିଲ୍ମର ସଫଳତା ତାଙ୍କର ଭାବମୂର୍ତ୍ତିକୁ ସଜାଡି ପାରୁଛି ନା ନାହିଁ ତାହା ମଧ୍ୟ ବଡ କଥା |

ଫିଲ୍ମ ର କାହାଣୀ, ଗୀତ, ନାଚ ଯାହା ବି ଥାଉ ନା କାହିଁକି ଅନୁଭବ ଜାଣନ୍ତି ଯେ ତାଙ୍କର ମୂଳ ସମ୍ପତ୍ତି ହେଉଛି ଅଭିନୟ ଓ ଅଭିନେତା ଭାବରେ ସଫଳତା | ତେଣୁ ମଝିରେ ସେ ରାଜ୍ୟସଭା ଯିବା ପରେ ନିଜକୁ ଅଧା ରାଜନେତା ଭାବି ଅଭିନୟରୁ ଦୂରେଇବା ଆଉ ଅଭିନେତା ଭାବରେ ତାଙ୍କର ପରିଚୟ ହ୍ରାସ ପାଇବା ତାଙ୍କର କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ତେଣୁ 2024 ପୂର୍ବରୁ ଅନୁଭବଙ୍କ ପାଇଁ ଏକ ମାତ୍ର ରାସ୍ତା ଥିଲା ଅଭିନୟ | ଯଦି ପୁଣି ସେ ଅଭନେତା ଭାବରେ ତାଙ୍କର ଦବଦବା ଫିଲ୍ମ ଲାଇନରେ ତିଆରି କରି ପାରିଲେ ତାହେଲେ ରାଜନୀତିରେ ଦୀର୍ଘସ୍ଥାୟୀ ହେବା ସହଜ ହେବ | ତେଣୁ ଲଭ ଇନ ଲଣ୍ଡନ ବାସ୍ତବରେ ଅନୁଭବଙ୍କ ପାଇଁ 2024 ପୂର୍ବରୁ ଲଭ ଇନ ନବୀନ ନିବାସ ହୋଇପାରୁଛି ନା ନାହିଁ ତାହା ହିଁ ଏବେ ବଡ଼ ପ୍ରଶ୍ନ |

Related Posts