ଭୁବନେଶ୍ୱର,୨୨/୬(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ଆମେରିକା ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଗସ୍ତର ଦ୍ବିତୀୟ ଦିନରେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନ ଓ ବାଇଡେନଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ବାଇଡେନ ଓ ତାଙ୍କପତ୍ନୀଙ୍କୁ କିଛି ବିଶେଷ ଉପହାର ଦେଇଛନ୍ତି। ଜୋ ବାଇଡେନ ମଧ୍ୟ ମୋଦିଙ୍କୁ କିଛି ବିଶେଷ ଉପହାର ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଜିଲ ବାଇଡେନଙ୍କୁ 7.5 କ୍ୟାରେଟର ଏକ ଗ୍ରୀନ ଡାଇମଣ୍ଡ ଉପହାର ଦେଇଛନ୍ତି। ଏହି ଡାଇମଣ୍ଡ ଏକ କେମିକାଲ ଓ ଅପଟିକାଲର ଗୁଣ ପ୍ରତିଫଳିତ କରୁଛି । ଏହା ପରିବେଶ ସହଯୋଗୀ ଓ ବୈବିଧତାରେ ପରିପୂର୍ଣ୍ଣ ରହିଛି । କାରଣ ଏହାକୁ ତିଆରି କରିବା ସମୟରେ ସୌରଶକ୍ତି ଏବଂ ପବନ ଶକ୍ତି ବ୍ୟବହୃତ ହୋଇଛି। ଏଥିସହ ପଞ୍ଜାବର ଘିଅ, ରାଜସ୍ଥାନର ହାତରେ ତିଆରି ହୋଇଥିବା 24 କ୍ୟାରେଟ ହଲମାର୍କର ସୁନା ମୁଦ୍ରା, 99.5% କ୍ୟାରେଟ ସିଲଭର ମୁଦ୍ରା, ଉତ୍ତରପ୍ରଦେଶର ଚାଉଳ, ଗୁଜୁରାଟର ଲୁଣ, ମହାରାଷ୍ଟ୍ରର ଗୁଡ, ତାମିଲନାଡୁର ରାଶି, କର୍ଣ୍ଣାଟକ ମହୀଶୁରର ଚନ୍ଦନ କାଠ, ପଶ୍ଚମବଙ୍ଗର ହାତରେ ତିଆରି ହୋଇଥିବା ରୂପାର ନଡିଆ ଏବଂ ଭଗବାନ ଗଣେଷଙ୍କ ପ୍ରତିମୂର୍ତ୍ତି ସହିତ ଏକ ଦୀପ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଉପହାର ଆକାରରେ ଦେଇଛନ୍ତି ମୋଦି ।
ଏହା ସହିତ ପ୍ରଧାନମନ୍ତ୍ରୀ ‘The Ten Principal Upanishads ‘ ବହିର ପ୍ରଥମ ଏଡିଟେସନର ଏକ ପୁସ୍ତକ ମଧ୍ୟ ପ୍ରଦାନ କରିଛନ୍ତି । ଯାହା ଲଣ୍ଡନର ଫାବର ଆଣ୍ଡ ଫାବର ଲିମିଟେଡ ଦ୍ୱାରା ପ୍ରକାଶିତ । ୟୁନିଭର୍ସିଟି ପ୍ରେସ ଗ୍ଲାସଗୋରେ ଏହା ମୁଦ୍ରିତ ହୋଇଛି ।
ସେପଟେ ଉପହାର ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ମଧ୍ୟ ମିଳିଛି । ଜୋ ବାଇଡେନ ଏବଂ ଜିଲ ବାଇଡେନ ମଧ୍ୟ ମୋଦିଙ୍କୁ କିଛି ବିଶେଷ ଉପହାର ଦେଇଛନ୍ତି । ଯେଉଁଥିରେ ଏକ ବିଂଶ ଶତାବ୍ଦୀର ପୁସ୍ତକ, ଏକ ଭିଣ୍ଟେଜ୍ ଆମେରିକୀୟ କ୍ୟାମେରା, ଆମେରିକୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ଉପରେ ଜଡିତ ଏକ ପୁସ୍ତକ ଏବଂ ରବର୍ଟ ଫ୍ରଷ୍ଟର ସଂଗୃହିତ କବିତାର ପ୍ରଥମ ସଂସ୍କରଣର କପି ରହିଛି।
ଆଜି ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜକୀୟ ରାତ୍ରିଭୋଜନର ଆୟୋଜନ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା କୁହାଯାଉଛି । ଏହା ପୂର୍ବରୁ ଜିଲ ବାଇଡେନ ବର୍ଜିନିଆରେ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ଗସ୍ତ ଉଭୟ ଦେଶର ସମ୍ପର୍କ ବନ୍ଧୁତ୍ବ ଓ ସମାବେଶୀ ବୈଶ୍ବିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ବୋଲି ବାଇଡେନଙ୍କ ପତ୍ନୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।





