ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତୀୟ ରାଜପଥ ନମ୍ବର ୫୫ର ଶୋଚନୀୟ ଅବସ୍ଥାକୁ ନେଇ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଜୋରଦାର ବିରୋଧ ହେଉଛି। ଶୁକ୍ରବାର ଢେଙ୍କାନାଳ ଜିଲ୍ଲାରେ ବନ୍ଦ ପାଳନ ସଫଳ ହୋଇଥିବା ବେଳେ ଆଜି ଅନୁଗୁଳ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। ଢେଙ୍କାନାଳ ଓକିଲ ସଂଘ ପରେ ଏବେ ଅନୁଗୁଳ ଓକିଲ ସଂଘ ଏଥିପାଇଁ ଅଣ୍ଟା ଭିଡିଛି।

ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଯାଏ ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏ ବନ୍ଦ ପାଳନ କେବଳ ଜାତୀୟ ରାଜପଥରେ କରାଯିବ, ବଇଣ୍ଡାଠାରୁ ଆରମ୍ଭ କରି ବଅଁରପାଳ ଯାଏ ୫୫ନମ୍ବର ଜାତୀୟ ରାଜପଥକୁ ଅଚଳ କରାଯିବ। କେବଳ ଅନୁଗୁଳ କି ବଅଁରପାଳ ନୁହେଁ, ଏ ବନ୍ଦରେ ତାଳଚେର, ଛେଣ୍ଡିପଦା, ପାଳଲହଡ଼ା, ଆଠମଲ୍ଲିକ ଓକିଲ ସଂଘ ସହିତ, ଟ୍ରକ୍‌ ମାଲିକ ସଂଘ, ବସ୍ ମାଲିକ ସଂଘ, ବିଭିନ୍ନ ଶ୍ରମିକ ସଂଗଠନ, ବିଭିନ୍ନ ରାଜନୈତିକ ଦଳ ସାମିଲ୍ ହେବାକୁ ଅନୁରୋଧ କରାଯାଇଛି। ଏଥିରେ ବିରୋଧୀ ବିଜେପି ସହିତ ସରକାରୀ ଦଳ ବିଜେଡିର ସମର୍ଥନ ରହିବ ବୋଲି ଜଣାପଡ଼ିଛି।