୨୦୨୪ ସୁଦ୍ଧା ଦେଶରେ ୨୬ ଗ୍ରୀନ୍ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ : ନୀତିନ ଗଡ଼କରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୦୨୪ ସୁଦ୍ଧା ଦେଶରେ ୨୬ ଗ୍ରୀନ୍ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ । ଏହି ଏକ୍ସପ୍ରେସ୍ ୱେରେ ଘଣ୍ଟା ପ୍ରତି ୧୨୫-୧୩୦ କିମି ଗତିରେ ଯାତ୍ରା କରିହେବ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସଂସଦରେ ଏହି ସୂଚନା ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ୨୦୨୪ ଶେଷ ବେଳକୁ ଦେଶର ସଡ଼କ ଭିତ୍ତିଭୂମି ଆମେରିକାକୁ ଟକ୍କର ଦେବ ।ଗଡ଼କରୀ କହିଛନ୍ତି, ବର୍ତ୍ତମାନ ନାସ୍‌ନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ)ର ଆର୍ଥିକ ସ୍ଥିତି ବେଶ୍ ମଜଭୁତ ରହିଛି । ଆମ ପାଖରେ ଅର୍ଥର ଅଭାବ ନାହିଁ । ଏନ୍‌ଏଚ୍‌ଏଆଇକୁ ଏଏଏ ରେଟିଂ ମିଳିଛି ।

ନିକଟରେ ଦୁଇଟି ବ୍ୟାଙ୍କର ଚେୟାରମ୍ୟାନ୍ ମୋ ପାଖକୁ ଆସିଥିଲେ ଏବଂ ମୋତେ ୨୫-୨୫ ହଜାର କୋଟି ଟଙ୍କା ଋଣ ଦେବାକୁ ପ୍ରସ୍ତାବ ରଖିଥିଲେ । ତେଣୁ ଏନ୍‌ଏଚ୍‌ଏଆଇ ନିକଟରେ ସଡ଼କ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ରହିଛି । ଗଡ଼କରୀ କହିଥିଲେ, ଟୋଲ୍ ସଂଗ୍ରହ ପାଇଁ ଆମ ପାଖରେ ଗୋଟିଏ ସିଷ୍ଟମ୍ ଥିବାବେଳେ ଆମେ ଦୁଇଟି ବିକଳ୍ପ ଉପରେ କାମ କରୁଛୁ । ପ୍ରଥମଟି ସାଟେଲାଇଟ୍ ଆଧାରିତ ଟୋଲ୍‌-ସିଷ୍ଟମ୍‌, ଯେଉଁଥିରେ କାର୍‌ରେ ଲାଗିଥିବା ଜିପିଏସ୍ ସହାୟତାରେ ଆପେ ଆପେ ଟୋଲ୍ କଟିଯିବ । ଅନ୍ୟ ସିଷ୍ଟମ୍‌ଟି ହେଉଛି ନମ୍ବର ପ୍ଲେଟ୍‌ରେ ପରିବର୍ତ୍ତନ । ୨୦୧୯ରୁ ଆମେ ନୂଆ ପ୍ରକାରର ନମ୍ବର ପ୍ଲେଟ୍ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଛୁ । ଏବେ ବାହନ ନିର୍ମାଣକାରୀଙ୍କ ପାଇଁ ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବା ଅନିବାର୍ଯ୍ୟ ହେବ । ପୁରୁଣା ନମ୍ବର ପ୍ଲେଟ୍‌କୁ ନୂଆ ନମ୍ବର ପ୍ଲେଟ୍‌ରେ ପରିବର୍ତ୍ତନ କରାଯିବ । ନୂଆ ନମ୍ବର ପ୍ଲେଟ୍‌ରେ ଏକ ସଫ୍ଟୱେୟାର୍ ସଂଯୁକ୍ତ ହେବ, ଯାହା ଦ୍ୱାରା ଟୋଲ୍ କଟିଯିବ ବୋଲି ସଂସଦରେ ନୀତିନ ଗଡକରୀ କହିଛନ୍ତି ।

Related Posts