ଛାତିରେ ପଥର ରଖି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ : ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟ ବିଜେପିରେ ଅସନ୍ତୋଷ ସୃଷ୍ଟି ହୋଇପାରେ ବୋଲି କୁହାଯାଉଥିଲା। ଦେବେନ୍ଦ୍ର ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ତାଙ୍କର ଆନ୍ତରିକତା ସିନ୍ଦେଙ୍କ ପ୍ରତି ନଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା। ଏବେ ଏହି କଥା ସତ ସତ ଲାଗୁଛି।ବିଳମ୍ବରେ ହେଉ ପଛରେ ରାଜ୍ୟ ବିଜେପିର ଯେ ଅସନ୍ତୋଷ ଅଛି ତାହା ପଦାକୁ ଆସିଛି। ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଛାତିକୁ ପଥର କରି ଦଳ ଦେବେନ୍ଦ୍ରଙ୍କ ବଦଳରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଅର୍ଥାତ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପିକୁ ଯେ କେତେ କଷ୍ଟ ହୋଇଛି ତାହା ତାଙ୍କ ବୟାନରୁ ସ୍ପଷ୍ଟ ଅନୁମେୟ। ତେବେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ଲୋକମାନଙ୍କ ପାଖରେ ଏକ ସ୍ଥାୟୀ ସରକାର ଗଠନ ହୋଇଛି ବୋଲି ସନ୍ଦେଶ ପହଞ୍ଚାଇବାର ଥିଲା। ସେଇ ଉଦ୍ଦେଶ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି ବୋଲି ଶ୍ରୀ ପାଟିଲ୍ କହିଛନ୍ତି।

ତେବେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସେ ଖୁସି ନଥିଲେ ବୋଲି କହିଛନ୍ତି ପାଟିଲ। ଏ ନେଇ ସେ କହିଛନ୍ତି, ଆମେ ଜଣେ ଏମିତି ନେତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଆବଶ୍ୟକ କରୁଥିଲୁ ଯିଏ ଉଚିତ୍ ସନ୍ଦେଶ ଲୋକଙ୍କ ପାଖରେ ପହଞ୍ଚାଇପାରିବ ଓ ସ୍ଥିର ସରକାର ଦେଇପାରିବ। କେନ୍ଦ୍ରୀୟ ନେତୃତ୍ୱ ଦେବେନ୍ଦ୍ର ଫଡନାଭିସ ଙ୍କୁ ପଛକୁ ହଟିବାକୁ ନିଷ୍ପତ୍ତି ନେଇଥିଲେ, ଏହାପରେ ଛାତିରେ ପଥର ରଖି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆମେ ଖୁସି ନଥିଲୁ କିନ୍ତୁ ନିଷ୍ପତ୍ତିକୁ ସ୍ୱୀକାର କରିଥିଲୁ।’ଦୁଃଖିତ ଥିଲେ ବି ଏହି ନିଷ୍ପତିକୁ ଗ୍ରହଣ କରି ଆଗକୁ ବଢ଼ିବାକୁ ପଡ଼ିଲା ବୋଲି ପାଟିଲ କହିଛନ୍ତି।

Related Posts