ପାଞ୍ଚ ପ୍ରକାର ବିରଳ ‘ ଟି ‘ ର ସମାହାର ହେଉଛି ରାଜ୍ୟ ପ୍ରଶାସନର କାର୍ଯ୍ୟ ସଂହିତା : ଜୀବନ ଗଲାପରେ ଜଣାପଡ଼ିଲା ୭୫ ଟି ନାଳ ବିପଜ୍ଜନକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ମୁକୁଳା ଡ୍ରେନ୍‌ରେ ଭାସି ଜଣେ ଦଶମ ଶ୍ରେଣୀରେ ମେଧାବୀ ଛାତ୍ର ଜ୍ୟୋତିପ୍ରକାଶଙ୍କ ଜୀବନ ଚାଲିଗଲା। ଏହି ପ୍ରସଙ୍ଗରେ ରାଜ୍ୟ ତମାମ ଚର୍ଚ୍ଚା ଜୋର ଧରିଲା। ତେବେ ଛାତ୍ରଟି କେଉଁ ପରିସ୍ଥିତିରେ ନାଳ ପାଣିରେ ଭାସିଗଲେ ତା’ର ଯାଞ୍ଚ୍ କରାଗଲା ନାହିଁ। ଛାତ୍ରଟିର ଜୀବନ ଚାଲିଯିବାର କିଛି ଦିନ ପରେ ବିଏମସି କମିଶନର ସାମ୍ନାକୁ ଆସିଲେ ଏବଂ ପ୍ରତିକ୍ରିୟା ଦେଲେ ଯେ ୭୫ ଟି ନାଳ ବିପଜ୍ଜନକ। ତେବେ ଡ୍ରେନ୍ ଉପରେ ଜବରଦଖର ଥିଲେ ମଧ୍ୟ ସେ ନେଇ କେଉଁ ପ୍ରକାରର ପଦକ୍ଷେପ ନିଆଯିବ ସେ ସମ୍ପର୍କରେ କିନ୍ତୁ କୌଣସି ଯୋଜନା କରାଗଲା ନାହିଁ । 

ରାଜଧାନୀରେ ରହୁଥିବା ବଡ଼ ବଡ଼ ନେତା ଙ୍କଠୁ ଆରମ୍ଭ କରି କିଛି ପ୍ରଭାବଶାଳୀ ଲୋକଙ୍କ ବଡ ବଡ ବିଲ୍ଡିଂରେ ଜଳ ନିଷ୍କାସନ ପାଇଁ ବାଟ ନାହିଁ । ଆଉ ଏକ ସମସ୍ୟା ହେଉଛି ଯେ, ଡ୍ରେନ୍ ଗୁଡ଼ିକ ମରାମତି ନ ହେଉ ଥିବାରୁ କାନ୍ଥ ଭୁଶୁଡ଼ି ନଳା ଗୁଡିକ ସିମେଣ୍ଟ କଂକ୍ରିଟ୍ ରେ ଭର୍ତ୍ତି ହୋଇଯାଉଛି। ଲୋକଙ୍କ ଘରର ମଇଳା ପାଣି ଯିବାକୁ ବାଟ ନ ଥିବେଳେ ବର୍ଷା ଜଳ କିପରି ନିଷ୍କାସିତ ହେବ ତା ଉପରେ ପ୍ରଶାସନର ଦୃଷ୍ଟିରେ ପଡୁ ନାହିଁ ।

ତେବେ ଦୀର୍ଘ ଦିନ ହେବ ପୌର ନିର୍ବାଚନ ହେଉନଥିବାରୁ ନିର୍ବାଚନ ପ୍ରତିନିଧି ନାହାନ୍ତି। ଏବେ ବାବୁ ମାନେ ସର୍ବେ ସର୍ବା। କିନ୍ତୁ ଜବରଦଖଲ ଉଚ୍ଛେଦ ହେଉନି କି ମୁକୁଳା ପଡିଥିବା ନାଳ ଗୁଡ଼ିକର ରକ୍ଷଣାବେକ୍ଷଣ ହେଉନି । ଉଭୟ ବିଏମସି କର୍ତ୍ତୃପକ୍ଷ ଓ ସରକାରଙ୍କ ଅପାରାଗତ ପଦାରେ ପଡ଼ିବା ପରେ ଭୁଶୁଡ଼ି ପଡ଼ିଥିବା ସହରର ନାଳ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ସର୍ବସାଧାରଣ କରାଗଲାନାହିଁ ।

୧୩ ବର୍ଷର ଛାତ୍ର ଜ୍ୟୋତିପ୍ରକାଶର ଜୀବନ ଚାଲିଯିବା ପରେ ବୁଧବାର ଦିନ ବିଏମସିର ନିଦ ଭାଙ୍ଗିଲା। ଏବେ ଯୋଜନାର ଲମ୍ବା ତାଲିକା ପ୍ରକାଶ କରିଛି ବିଏମସି । ଖୋଲା ନାଳରେ ଛାତ୍ରଙ୍କ ଜୀବନ ଚାଲିଯାଇଥିଲେ ମଧ୍ୟ ଏନଜିଟି ଆଳ ଦେଖାଇ ଖସିଯିବାକୁ ଚେଷ୍ଟା କଲେ ବିଏମସି କମିଶନର ସଞ୍ଜୟ ସିଂ। 

ବିଏମ୍‌ସି ପକ୍ଷରୁ କୁହାଯାଇଛି ପ୍ରାକୃତିକ ନାଳରେ ଘୋଡ଼ଣି ପକାଇବା ଉପରେ ଏନଜିଟି ଅଙ୍କୁଶ ଲଗାଇଛି । ଘୋଡ଼ଣି ପଡ଼ିଲେ ନାଳରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବ ଯାହା ସହରର ପରିବେଶ ପ୍ରତି କ୍ଷତିକାରକ ହେବ । ତେଣୁ ଘୋଡ଼ଣି ନ ପକାଇ କେମିତି ଅଘଟଣକୁ ରୋକାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଏମସି କହିଲା।  କେବଳ ଏତିକି ନୁହେଁ , ନାଳ ବ୍ୟବସ୍ଥାର ରୂପରେଖ ବଦଳା ଯିବ । ଜବରଦଖଲ ଉଚ୍ଛେଦ ସହିତ ଜମି ଅଧିଗ୍ରହଣ କରାଯିବ । ନାଳ ସମ୍ପ୍ରସାରଣ ହେବ, ମରାମତି ମଧ୍ୟ କରାଯିବ । ସୁମିଆଦୀ ଯୋଜନାରେ ଅଗ୍ର ଧକାର ଭିତ୍ତିରେ ଅତି ସମ୍ବେଦନଶୀଳ ନାଳର ପୁନରୁଦ୍ଧାର କାର୍ଯ୍ୟ କରି ରାଜଧାନୀର ସମ୍ପୂର୍ଣ୍ଣ ନାଳ ବ୍ୟବସ୍ଥା ନୂଆ ରୂପ ପାଇବ ବୋଲି କୁହାଗଲା । ଏହାଦ୍ବାରା ସହରର ଜଳବନ୍ଦୀ ସମସ୍ୟାର ସମାଧାନ ହେଦ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । 

ତେବେ ଜ୍ୟୋତି ପ୍ରକାଶ ଜଣେ ନୁହେଁ ଗତ କିଛି ବର୍ଷ ମଧ୍ୟରେ ୬ଜଣଙ୍କ ଜୀବନ ନେଇଛି ରାଜଧାନୀର ମୁକୁଳା ନାଳ। ଶତାଧିକ ବୁଲାପ୍ରାଣୀ ମଧ୍ୟ ପ୍ରାଣ ହରାଇଛନ୍ତି। ଅନେକ ଆଜୀବନ ଅକର୍ମଣ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। ୨୦୧୮ରେ ଇସ୍କନ ମନ୍ଦିର , ନୂଆପଲ୍ଲୀ , ଜୟଦେବ ବିହାର , ଜିଜିପି କଲୋନୀ ସମେତ ସହରର ୭୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଅନେକ ଜୀବଜନ୍ତୁ ଜଳରେ ଭାସି ଯାଇଥିଲେ । କିଛି ଲୋକ ନାଳରେ ପଡ଼ି ଗୁରୁତର ଆହତ ମଧ୍ୟ ହୋଇଥିଲେ । ଜଳବନ୍ଦୀରେ ରହି କିଛିଦିନ ପର୍ଯ୍ୟନ୍ତ କର୍ମଚାରୀ କାର୍ଯ୍ୟାଳୟ ଆସି ପାରି ନ ଥିଲେ । ସେତେବେଳେ ମଧ୍ୟ ଏହି ପ୍ରସଙ୍ଗ ଏକ ମୁଦ୍ଦା ହୋଇଥିଲା। ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିଲେ। ଏହା ପରେ ୨୦୧୯ , ମାର୍ଚ୍ଚ ମାସରେ ସରକାର ୧୦୦୦ କୋଟି ଖର୍ଚ୍ଚ କରିବାକୁ ଘୋଷଣା କରିଥିଲେ । ସରକାରଙ୍କ ଏହି ଘୋଷଣାକୁ ୩ ବର୍ଷ ବିତି ଗଲାଣି କିନ୍ତୁ ସ୍ଥିତି ସୁଧୁରିଲା ନାହିଁ । ଗତ ରବିବାର ଦିନ ଶତାବ୍ଦୀ ନଗରର ଛାତ୍ର ଜ୍ୟୋତିପ୍ରକାଶ ନାଳରେ ପଡ଼ି ସବୁଦିନ ପାଇଁ ଆଖି ବୁଜି ଦେଲା। ରାଜ୍ୟରେ ବର୍ତ୍ତମାନ ୫ ଟି ଅଧିକ ସକ୍ରିୟ। ଏହା ସତ୍ତ୍ବେ ବି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡି ୧୩ ବର୍ଷର ଛାତ୍ରର ଜୀବନ ଚାଲିଗଲା। 

Related Posts