ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟରେ ଫାଟ

ଭୁବନେଶ୍ୱର,୫/୨(ସତ୍ୟପାଠ ବ୍ୟୁରୋ):   ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପରେ ଏବେ ଉତ୍ତରଦ୍ବାର ଗୁମୁଟ ପାର୍ଶ୍ବରେ ଫାଟ ଦେଖାଦେଇଛି। ଶ୍ରୀମନ୍ଦିର ଉତ୍ତରଦ୍ବାର ପ୍ରବେଶ ବେଳେ ବାମପାର୍ଶ୍ବରେ ପଦ୍ମପାଖୁଡ଼ା ଆକୃତି ଭାସ୍କର୍ଯ୍ୟସଂପନ୍ନ ପ୍ରସ୍ତରରେ ଏଭଳି ଫାଟ ସୃଷ୍ଟି ହୋଇଛି। ଫାଟ ଏତେ ବଡ଼ ବଡ଼ ହୋଇଛି ଯେ ଏହି ସ୍ଥାନରୁ ଯେକୌଣସି ମୁହୂର୍ତ୍ତରେ ପଥର ଖସି ପଡ଼ିବା ଆଶଙ୍କା ରହିଛି।

କେବଳ ଫାଟ ସୃଷ୍ଟି ହୋଇନି, ଏକାଧିକ ସ୍ଥାନରୁ ପ୍ରସ୍ତରର ଭାସ୍କର୍ଯ୍ୟ ସବୁ ଖଣ୍ଡ ଖଣ୍ଡ ହୋଇ ଖସିପଡ଼ିଛି। ଫଳରେ ପ୍ରସ୍ତର କାନ୍ଥରେ ଗର୍ତ୍ତ ସବୁ ଦୃଶ୍ୟମାନ ହେଲାଣି। ଏହି ଫାଟ ଦେଖାଯିବା ପରେ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ଉତ୍ତରଦ୍ବାର ସହ ଅନ୍ୟଦ୍ବାରରେ ଭୁପୃଷ୍ଠରୁ ପଦ୍ମପାଖୁଡ଼ା ଆକୃତିର ବଡ଼ ବଡ଼ ପ୍ରସ୍ତର ସବୁ ରହିଛି। ଏହା ଉପରି ଅଂଶରେ ଅନ୍ୟାନ୍ୟ କାରୁକାର୍ଯ୍ୟ ରହିଛି। ଏହା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଅତୀତର ନିଖୁଣ ପଥର କାରୁକାର୍ଯ୍ୟକୁ ବଖାଣୁଛି। ଉତ୍ତରଦ୍ବାର ଗୁମୁଟ ବାମପାର୍ଶ୍ବରେ ପଦ୍ମପାଖୁଡ଼ା ସଦୃଶ ପ୍ରସ୍ତରରେ ପ୍ରାୟ ଦେଢ଼ ଫୁଟ ଉଚ୍ଚରେ ଫାଟ ଦେଖାଦେଇଛି। ପ୍ରାୟ ଦେଢ଼ ଫୁଟ ଲମ୍ବର ଗୋଲାକୃତିରେ ଏହି ଫାଟ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଥିଲା। ଯେଉଁ ପ୍ରାଚୀନ ମୂର୍ତ୍ତି ଲାଗିଥିଲା, ତାହା ବି ଭାଙ୍ଗି ଝଡ଼ି ପଡ଼ିଥିଲା। ଫାଟର ଲମ୍ବ ପ୍ରାୟ ଦୁଇଫୁଟ ଓ ଚଉଡ଼ା ପ୍ରାୟ ୪/୫ ଇଞ୍ଚ ଥିଲା। ସେହିଭଳି ଯେଉଁ ପ୍ରାଚୀନ ଦେବଦେବୀ ମୂର୍ତ୍ତି ଲାଗିଥିଲା, ସେଥିରୁ କାହାର ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ପଥର ଗଳି ପଡ଼ିଥିଲା ତ କାହାର ମୁହଁ ଗଳି ପଡ଼ିଥିଲା। ସିଂହ କାରୁକାର୍ଯ୍ୟ ବି ଭାଙ୍ଗି ଗଳି ପଡ଼ିଥିଲା। ଅଦ୍ୟାବଧି ଏହାର ମରାମତି କରାଯାଇନି। ଏନେଇ ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ଉତ୍ତରଦ୍ବାରରେ ଆଜି ଯେଉଁ ସ୍ଥାନରେ ଫାଟ ଜଣାପଡ଼ୁଛି, ସେହି ଜାଗା ପୂର୍ବରୁ ମାଟି ମାଡ଼ି ଯାଇଥିଲା। ପରିକ୍ରମା ପ୍ରକଳ୍ପ ପାଇଁ ଚତୁଃପାର୍ଶ୍ବ ଖାଲି ହେବା ପରେ ଏହା ଦୃଶ୍ୟମାନ ହୋଇଛି।

ଏହା ଶ୍ରୀମନ୍ଦିରକୁ କୌଣସି କ୍ଷତି ପହଞ୍ଚାଇବନି। ଶ୍ରୀମନ୍ଦିରର ଆବଶ୍ୟକ ମରାମତି କାମ ଚାଲିଛି। ସିଂହଦ୍ବାରରେ ଯେଉଁ ଫାଟ ଦେଖା ଦେଇଥିଲା, ତାର ମରାମତି ପ୍ରାୟ ୭୦ ପ୍ରତିଶତ ସରିଲାଣି। ପର୍ଯ୍ୟାୟକ୍ରମେ ଅନ୍ୟ ଦ୍ବାରର ମରାମତି କାମ ଚାଲିଛି। ଉତ୍ତରଦ୍ବାରର ବି ମରାମତି କାମ ଚାଲିଛି। ଆଉ ୮/୧୦ ଦିନ ଭିତରେ ଯେଉଁ ଜାଗାରେ ଫାଟ ରହିଛି, ତାର ମରାମତି ହୋଇଯିବ ବୋଲି ଏଏସ୍‌ଆଇ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ୧୯୭୫ ମସିହାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇ ଆସୁଛି। ପୂର୍ବରୁ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଧଳା ରଙ୍ଗର ଥିଲା। ପଥର ଉପରେ ଚୁନର ମୋଟା ଆସ୍ତରଣ ଦିଆଯାଇଥିଲା। ଏହା ଶ୍ରୀମନ୍ଦିର ପାଇଁ ବିପଦ ବୋଲି ଏଏସ୍‌ଆଇ କୋର୍ଟରେ ଦର୍ଶାଇବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରରୁ ଚୁନ ଛଡ଼ାଇ ସ୍ବତନ୍ତ୍ର କେମିକାଲ୍‌ ଲଗାଯାଇଛି। ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳିନି। ମଝିରେ ମଝିରେ ବଡ଼ ବଡ଼ ପଥର ଖଣ୍ଡ ଖସୁଛି।

Related Posts