୨୦୨୪ରେ ଓଡ଼ିଶାରେ ଆସିବ ଡବଲ ଇଞ୍ଜିନ ସରକାର: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କ୍ଷେତ୍ର। ରାଜ୍ୟ ବିଜେପି ପକ୍ଷରୁ ୩ଦିନିଆ ପ୍ରଶିକ୍ଷଣ ଶିବିରରେ ବିଜୁ ଜନତା ଦଳର ସରକାରକୁ ଶାସନରୁ ହଟାଇବା ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ରଣନୀତି। ଏସବୁ ଭିତରେ ଆଜି ପ୍ରଶିକ୍ଷଣ ଶିବିରର ତୃତୀୟ ଦିନରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, ୨୦୨୪ରେ ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି। ରାଜ୍ୟରେ ଆସିବ ଡବଲ ଇଞ୍ଜିନ ସରକାର। ୨୦୨୪ରେ ନିଶ୍ଚିତ ଭାବେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ ବୋଲି ଦୃଢ଼ତାର ସହିତ କହିଛନ୍ତି ଜୟନାରାୟଣ ମିଶ୍ର। ସେ ଆହୁରି କହିଛନ୍ତି ଯେ, ମିଶନ ୨୦୨୪ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି। ଲୋକଙ୍କ ପାଖରେ ବିଜେପିକୁ ପହଞ୍ଚାଇବା ପାଇଁ ପୁରୀରେ ରାଜ୍ୟର ନେତା ଓ କର୍ମୀଙ୍କୁ ଟ୍ରେନିଂ ଦେଉଛନ୍ତି କେନ୍ଦ୍ରର ବରିଷ୍ଠ ନେତା। ଆମକୁ ଯେତେ ସଂଖ୍ୟା ଆବଶ୍ୟକତା ରହିଛି ତା’ପାଇଁ ଆମେ ଯୋଜନା କରୁଛୁ। ଆଜି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଟ୍ରେନିଂ ଅଛି। ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବେ। ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

ଅନ୍ୟପଟେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷ ଦିବସ। ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ କିପରି ସଫଳ ହେବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତି ସହ କର୍ମକର୍ତ୍ତାଙ୍କୁ ଏଥିରେ ପ୍ରଶିକ୍ଷଣ ଦିଆଯାଇଛି। ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ୨୦୨୪ ପାଇଁ ଦଳର ରୋଡମ୍ୟାପ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ବିଗତ ଦିନରେ ସରିଥିବା ନିର୍ବାଚନରେ ଦଳର ଭୋଟ୍ ସେୟାର ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୪, ୨୦୧୯ ବିଧାନସଭା ଓ ଲୋକସଭା ଏବଂ ୨୦୧୭ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ୍ ହାର ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଦଳ ୭୦ ଲକ୍ଷ ଭୋଟ୍ ପାଇଥିବା କୁହାଯାଇଛି। ଏଣୁ ଏହାକୁ ଦେଖିଲେ ରାଜ୍ୟରେ ବିଜେପି ବଢ଼ୁଛି ଓ ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଦଳ ଏଠାରେ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଏଣୁ ଏଥିଲାଗି ଭୋଟ୍ ହାର ୫୦ ପ୍ରତିଶତରେ ପହଞ୍ଚାଇବାକୁ ଦଳ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ନେଇ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ତା’ ସହିତ କେନ୍ଦ୍ରୀୟ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏନେଇ ଦଳ ଲୋକଙ୍କ ପାଖକୁ ଯିବ ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବୁଥ୍ ସ୍ତରରେ ଆନ୍ଦୋଳନ କରିବାକୁ ସ୍ଥିର କରିଛି।

Related Posts