ଭୁବନେଶ୍ୱର (ସତ୍ୟପାଠବ୍ୟୁରୋ): ରାଜ୍ୟରେ ଏକ ଘରୋଇ କମ୍ପାନୀ ପକ୍ଷରୁ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତାବ ହୋଇଛି। କମ୍ପାନୀ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଆଲୋଚନା କରାଯାଇଛି । ଏହି ଶକ୍ତି କେନ୍ଦ୍ର ସ୍ଥାପନ ନିମନ୍ତେ ଯୋଜନା ଥିବାବେଳେ ପରମାଣୁ ଶକ୍ତିକୁ ଘରୋଇକରଣ କରିବାକୁ ବିଜେପି ସରକାର ଯୋଜନା କରିଛନ୍ତି । ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ଓଡ଼ିଶାରେ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ହେବା ଦ୍ୱାରା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହେବ । ଡବଲ ଇଞ୍ଜିନ ସରକାର ଘରୋଇ କମ୍ପାନୀ ମୋହରେ ପଡ଼ି ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ଆଖି ବୁଜିଦେଇଛନ୍ତି । ଉକ୍ତ ଘରୋଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରିବା ନେଇ ପ୍ରସ୍ତାବ ରହିଛି । ଏନେଇ ଦେଢ଼ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ନେଇ ଯୋଜନା କରାଯାଇଛି।
ପରମାଣୁ କିମ୍ବା ଏଟୋମିକ୍ ଏନର୍ଜି କଥା ଉଠିଲେ ମନରେ ଭୟ ସୃଷ୍ଟି ହୁଏ । ୧୯୪୫ ମସିହାରେ ପରମାଣୁ ବିସ୍ଫୋରଣ ଯୋଗୁଁ ଜାପାନର ହିରୋସୀମା ଓ ନାଗାସାକି ସହର ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା । ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ ପରମାଣୁ ଶକ୍ତି ବିପଦପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ଦେଶମାନଙ୍କରେ ପରମାଣୁ ଶକ୍ତିକୁ ସରକାର ନିଜ ମାଲିକାନାରେ ରଖିଥାନ୍ତି, କୌଣସି ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରନ୍ତି ନାହିଁ । କିନ୍ତୁ ବିଜେପି ସରକାରରେ ତାହାର ବିଚ୍ୟୁତି ଘଟି ପରମାଣୁ ଶକ୍ତିକୁ ଘରୋଇ କମ୍ପାନୀର ମାଲିକାନାକୁ ହସ୍ତାନ୍ତର କରାଯାଉଛି । ବିଜେପି ସରକାର ନିଜ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ଜୀବନ ପ୍ରତି ତିଳେ ମାତ୍ର ଭୃକ୍ଷେପ କରୁନାହିଁ । ତେବେ ଓଡ଼ିଶାକୁ ବିପଦ ମୁଁହକୁ ଠେଲି ଦେବାକୁ ବିଜେପି ସରକାର କାହିଁକି ଯୋଜନା କରୁଛନ୍ତି ବୋଲି କହି ସେ କଡ଼ା ସମାଲୋଚନା କରିଛନ୍ତି।
ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ପରମାଣୁ ଶକ୍ତିର ଭୟାବହତା ସମ୍ପର୍କରେ ବୋଧେ ଅବଗତ ନାହାନ୍ତି ? ଲୋକଙ୍କ ସରକାର ବୋଲାଉଥିବା ବିଜେପି ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନା କରି ଓଡ଼ିଶାବାସୀଙ୍କୁ ମୃତ୍ୟୁ ମୁଖରେ ପକାଇବାରୁ କ୍ଷାନ୍ତ ରୁହନ୍ତୁ ରାଜ୍ୟ ବିଜେପି ସରକାର । ନଚେତ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ଶ୍ରୀମତି ସାମନ୍ତରାୟ କହିଛନ୍ତି।
