ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗର୍ଭଗୃହ ଫୋଟୋ ଭାଇରାଲ ହେବା ପରେ ଏଥର ପୁରୀ ଶ୍ରୀମନ୍ଦିର ଉପରେ ଉଡିଛି ଡ୍ରୋନ୍ । ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିର ଭିଡିଓ । ଏହି ଭିଡିଓରେ ଶ୍ରୀମନ୍ଦିରର ଦୈନଦିନ ପତାକା ପରିବର୍ତ୍ତନ ସମୟର ଦୃଶ୍ୟ କାଏଦ୍ ହୋଇଛି। ଜଣେ ବଙ୍ଗୀୟ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଥିବା ଜଣା ପଡିଛି। ୟୁନିଫାଏଡ୍ ଅନିମେଶ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରାଯାଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ବାରମ୍ୱାର ତାଗିଦ୍ କରିବା ସତ୍ତ୍ୱେ ଏମିତି ବାରମ୍ୱାର ଜଗନ୍ନାଥ ମନ୍ଦିରର ଦୃଶ୍ୟ ହେଉ ବା ମନ୍ଦିର ବେଢାର ଦୃଶ୍ୟ ଭାଇରାଲ ହୋଇଥାଏ । ନିକଟରେ ଜଣେ ଯୁବକ ଶ୍ରୀମନ୍ଦିର ଗର୍ଭଗୃହ ଫୋଟୋ ଭାଇରଲ କରିଥିଲେ । ଏନେଇ ଥାନାରେ ଏତଲା ହେବାପରେ ସଂପୃକ୍ତ ଯୁବକକୁ ବାଂଲାଦେଶରୁ ଗିରଫ କରିଥିଲା ସିଂହଦ୍ବାର ଥାନା ପୋଲିସ। ହେଲେ ଏବେ ପୁଣିଥରେ ପୁରୀ ଶ୍ରୀମନ୍ଦିରର ଉପରେ ଉଡିଛି ଡ୍ରୋନ୍। ଏହାର ଭିଡ଼ିଓ ଉତ୍ତଳନ କରାଯାଇ ଭାରିରାଲ ମଧ୍ୟ କରାଯାଇଛି ଯାହା ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।