ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପରଲୋକରେ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନା । ୬୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ଜେନାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ଆଣିଛି । ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନରେ ରହୁଥିବା ଶ୍ରୀ ଜେନା ଗତ ରାତିରେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ ଆଣିଥିଲେ । ମାତ୍ର ଡାକ୍ତରମାନଙ୍କ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରି ନ ଥିଲେ । ବଡ଼ି ଭୋରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଜେନା ରାଜ୍ୟରେ ଜଣେ ଆଗଧାଡ଼ିର ସାମ୍ବାଦିକ ଥିଲେ । ତେବେ ସ୍ବର୍ଗତଃ ଜେନା ‘ପ୍ରଭାତଜ୍ୟୋତି’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଦୀର୍ଘ ବର୍ଷ ଧରି ‘ସ୍ବାଭିମାନ’, ‘ମାତୃଭାଷା’ , ‘ନ୍ୟାୟବତୀ’ ଓ ‘ଶ୍ରୁତି’ ଭଳି ଦୈନିକ ସମ୍ବାଦପତ୍ରରେ କାର୍ଯ୍ୟ କରିଥିଲେ। ତେବେ ବିଧାନସଭା ରିପୋର୍ଟିଂରେ ତାଙ୍କର ବେଶ୍ ଦକ୍ଷତା ଥିଲା । ବିଭିନ୍ନ ଖବରକାଗଜରେ ତାଙ୍କର ସ୍ତମ୍ଭ ପାଠକଙ୍କ ଆଦୃତି ଲାଭ କରିଥିଲା । ଜଣେ ଭଦ୍ର, ସରଳ ଓ ଅମାୟିକ ବ୍ୟକ୍ତି ଭାବେ ମଧ୍ୟ ତାଙ୍କର ସୁନାମ ଥିଲା । ତାଙ୍କର ସ୍ନେହବୋଳା କଥା ଯୁବ ସାମ୍ବାଦିକମାନଙ୍କ ପାଇଁ ପ୍ରେରଣାଦାୟକ ଥିଲା । ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି ।
ଶ୍ରୀ ଜେନାଙ୍କ ପରଲୋକ ଖବର ପ୍ରଚାରିତ ହେଲା ପରେ ତାଙ୍କ ସରକାରୀ ବାସଭବନକୁ ସାମ୍ବାଦିକଙ୍କ ସୁଅ ଛୁଟିଛି । ବିଭିନ୍ନ ବର୍ଗର ବ୍ୟକ୍ତିମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରୁଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।





