କୋଭିଡ୍ ମୁକାବିଲାରେ ସୁପ୍ରିମକୋର୍ଟଙ୍କ ପ୍ରଭାବଶାଳୀ ହସ୍ତକ୍ଷେପର ପ୍ରଶଂସା କରି ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପଞ୍ଚମ ଶ୍ରେଣୀର ଛାତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେରଳର ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ଲିଡୱିନା ଜୋସେଫ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନାଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ସାଙ୍ଗରେ ସେ ଏକ ଚିତ୍ର ଆଙ୍କି ଜଷ୍ଟିସ ଏନ.ଭି ରାମନାଙ୍କୁ ପଠାଇଛନ୍ତି। ଏବେ ଏହି ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଲଢେଇରେ ସୁପ୍ରିମକୋର୍ଟଙ୍କ ପ୍ରଭାବଶାଳୀ ହସ୍ତକ୍ଷେପ ଯୋଗୁଁ ଅନେକ ଜୀବନ ରକ୍ଷା ହୋଇଥିବା ନେଇ ସେ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ରମନାଙ୍କୁ ଏକ ଚିଠି ଲେଖିଛନ୍ତି। ଜଷ୍ଟିସ୍ ରମନା ମଧ୍ୟ ଏହାର ସମ୍ବିଧାନର ଏକ ଦସ୍ତଖତ କପି ମଧ୍ୟ ଲିଡୱିନା ଜୋସେଫଙ୍କୁ ପଠାଇଛନ୍ତି। କେରଳ ଥ୍ରିସୁରର କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ରୀ ଜୋସେଫ ଏକ ହୃଦୟସ୍ପର୍ଶୀ ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ରରେ ଜଣେ ନ୍ୟାୟଧୀଶ କରୋନାଭାଇରସକୁ ନିଜର ନ୍ୟାୟିକ ହାତୁଡିରେ ପିଟୁଥିବା ଦେଖାଯାଉଛି , ପାଖରେ ତ୍ରିରଙ୍ଗା ପତାକା, ଅଶୋକା ସ୍ତମ୍ଭ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ହସୁଥିବାର ଚିତ୍ର ଆଙ୍କିଛନ୍ତି। ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଲିଡୱିନା ଜୋସେଫ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ‘ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ କରୋନା କାରଣରୁ ହେଉଥିବା ମୃତ୍ୟୁକୁ ନେଇ ମୁଁ ବହୁତ ଚିନ୍ତିତ ଥିଲି। ମୁଁ ଖବରକାଗଜ ପଢି ଜାଣୁଥିଲି ଯେ ସାଧାରଣ ଲୋକଙ୍କ ଦୁଃଖ ଓ ମୃତ୍ୟୁର କାରଣ ପାଲଟିଥିବା କୋଭିଡ ଲଢେଇରେ ଆପଣଙ୍କର ମାନ୍ୟବର ସୁପ୍ରିମକୋର୍ଟ ପ୍ରଭାବଶାଳୀ ହସ୍ତକ୍ଷେପ କରିଛନ୍ତି। ମୁଁ ଅତ୍ୟନ୍ତ ଖୁସି ଏବଂ ଗର୍ବିତ ଯେ ଆପଣଙ୍କର ସମ୍ମାନଜନକ କୋର୍ଟ ଅମ୍ଳଜାନ ସପ୍ଲାଏ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅନେକ ଜୀବନକୁ ରକ୍ଷା କରିଛନ୍ତି । ମୁଁ ବୁିଝିପାରୁଛି ଯେ ଆମ ଦେଶରେ ବିଶେଷ ଭାବେ ରାଜଧାନୀ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ଏବଂ ମୃତ୍ୟୁ ହାର ହ୍ରାସ କରିବାରେ ମାନ୍ୟବର କୋର୍ଟ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ବର୍ତ୍ତମାନ ମୁଁ ବହୁତ ଗର୍ବିତ ଏବଂ ଖୁସି ଅନୁଭବ କରୁଛି ।” ଜୋସେଫ ମେ ମାସ ଶେଷରେ ଏହି ଚିଠି CJI ରାମନାଙ୍କୁ ଲେଖିଥିଲେ । ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଜୋସେଫର ଏହି ଚିଠି ପାଇବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରାମନା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି , ‘ମୁଁ ତୁମର ସୁନ୍ଦର ଚିଠି ଗ୍ରହଣ କରିଛି ଏହା ସହିତ କାର୍ଯ୍ୟରତ ବିଚାରପତି ମାନଙ୍କ ଉଦ୍ଦେଶ୍ୟରେ ଆଙ୍କିଥିବା ଏହି ହୃଦୟସ୍ପର୍ଶୀ ଚିତ୍ର ମଧ୍ୟ ପାଇଛି। ଦେଶରେ ଘଟୁଥିବା ଘଟଣାଗୁଡ଼ିକ ଉପରେ ତୁମର ନଜର ରହିଛି ଏବଂ ମହାମାରୀରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ତୁମର ଚିନ୍ତା ମୋତେ ପ୍ରକୃତରେ ପ୍ରଭାବିତ କରିଛି। ମୁଁ ନିଶ୍ଚିତ ଯେ ଆପଣ ଏକ ସଚେତନ ଓ ଦାୟିତ୍ବବାନ ନାଗରିକ ଭାବେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ବିପୁଳ ଅବଦାନ ଦେବେ । ” ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଘୋଷଣା କରିଛନ୍ତି ଯେ କେନ୍ଦ୍ର ସରକାର ଜୁନ୍ ୨୧ ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ମାଗଣାରେ କରୋନା ଟିକା ଦିଆଯିବ। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଏମିତି ଏକ ସମୟରେ ଆସିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କରୋନା ଟିକାର ଭିନ୍ନ ଭିନ୍ନ ଦର ଏବଂ କେନ୍ଦ୍ର ସରକାରଙ୍କ ଟୀକାକରଣ ନୀତିକୁ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିବା ସହ ଟିକା କ୍ରୟ ସମ୍ପର୍କିତ ଟିକିନିଖି ତଥ୍ୟ ମାଗିଥିଲେ । ଏମିତିକି ଦ୍ବିତୀୟ ଲହର ଆସିବା ପରେ ସୁପ୍ରିମକୋର୍ଟ ସୋ ମୋଟ କରୋନା ମାହାମାରୀ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଏବଂ କେନ୍ଦ୍ର ସରକାରଙ୍କୁ ଅମ୍ଳଜାନ ଯୋଗାଣ ଠାରୁ ଆରମ୍ଭ କରି କରୋନା ଔଷଧ ଓ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ବିରୋଧୀ ଠାରୁ ସାଧାରଣ ଜନତା ସମସ୍ତେ ସୁପ୍ରିମକୋର୍ଟଙ୍କୁ ଶ୍ରେୟ ଦେଇଛନ୍ତି।

Related Posts