ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡିବ୍ରୁଗଡରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ୨୦୫୦୩ ରାଜଧାନୀ ଏକ୍ସପ୍ରେସ୍ରେ ଟିଟିଇଙ୍କ ଅମାନବିକତା। ଟ୍ରେନ୍ରେ ଚଢୁଥିବା ସେନାର ଜଣେ ଯବାନଙ୍କୁ ଟିଟିଇ ଧକ୍କା ଦେବା ଫଳରେ ତାଙ୍କର ଦୁଇଟି ଯାକ ଗୋଡ କଟିଯାଇଛି। ବରେଲି ଜଙ୍କସନ୍ର ପ୍ଲାଟଫର୍ମ ନମ୍ବର ୨ରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ଅନ୍ୟ ଯବାନମାନେ ଉତ୍ୟକ୍ତ ହୋଇ ଟିଟିଇଙ୍କୁ ମଧ୍ୟ ଖୁବ୍ ମାଡ ମାରିଥିଲେ।
ତେବେ ଘଟଣା ପରେ ଟ୍ରେନ୍ରେ ମୁତୟନ ଦିଲ୍ଲୀର ଟିଟିଇ ମୋବାଇଲ ସ୍ବିଚ୍ ଅଫ୍ କରି ଫେରାର ହୋଇଯାଇଥିଲେ। ସେଭଳି ସେନାର ଯବାନ ଜୋରଦାର ହଙ୍ଗାମା କରି ଟ୍ରେନ୍କୁ ରୋକି ଦେଇଥିଲେ। ଆହତ ଯବାନଙ୍କୁ ତୁରନ୍ତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଅନ୍ୟପକ୍ଷେ ରାଜଧାନୀ ଏକ୍ସପ୍ରେସ୍କୁ ରୋକିବା ଓ ସେନାର ଯବାନଙ୍କୁ ଧକ୍କା ଦେବାର ଖବର ପାଇବା ମାତ୍ରେ ଜିଆରପି ଆରପିଏଫ୍ ସହିତ ରେଲଓ୍ବେର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉତ୍ୟକ୍ତ ଯବାନଙ୍କୁ ବୁଝାଇ ଶାନ୍ତ କରିଥିଲେ। ଏହାପରେ ରେଲଓ୍ବେ ଅଧିକାରୀଙ୍କ ଚେଷ୍ଟା ପରେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଡିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ର କୋଚ୍ ନମ୍ବର ବି-୮ ରେ ଚଢୁଥିବା ଯବାନଙ୍କୁ ଟିଟିଇ ଧକ୍କା ମାରିଥିଲେ,ଯାହାଫଳରେ ପ୍ଲାଟଫର୍ମ ନମ୍ବର ୨ ଓ ଟ୍ରେନ୍ ଭିତରେ ଥିବା ଫାଙ୍କା ସ୍ଥାନରେ ଯବାନଙ୍କ ଗୋଡ଼ ଫଶିଯିବା କାରଣରୁ ଦୁଇଟି ଯାକ ଗୋଡ କଟି ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପ୍ଲାଟଫର୍ମ ନମ୍ବର ୧ରେ ଏମ୍ସିଓ( (ସେନା କାର୍ଯ୍ୟାଳୟ)ରେ ମୁତୟନ ଯବାନମାନେ ଘଟଣାସ୍ଥଳରେ ପହଁଞ୍ଚି ଟିଟିଇକୁ ମାଡ ମାରିଥିଲେ। ଆହତ ଯବାନଙ୍କ ସ୍ଥିତି ଖୁବ୍ ଗୁରୁତର ରହିଛି ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସେନା ପୋଲିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ବିଜୟ ତନଭର, ଏମସିଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଜୟ ମଧ୍ୟ ପହଁଞ୍ଚିଥିଲେ।
ଆହତ ଯବାନଙ୍କ ଘର ବିହାରର ବଲିୟା ଥାନା ଅନ୍ତର୍ଗତ ହଳଦି ଗାଁରେ ରହିଛି। ତାଙ୍କ ନାମ ହେଲା ସୋନୁ କୁମାର(୩୦)। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେ ଲକ୍ଷ୍ନୌରୁ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ର ଥାର୍ଡ ଏସି କୋଚ୍ରେ ଚଢିଥିଲେ। ଯବାନ ବରେଲି ଜଙ୍କସନ୍ରେ ପାଣି ଆଣିବାକୁ ଓହ୍ଲାଇଥିଲେ। କିଛି ସମୟ ପରେ ଟ୍ରେନ୍ ଛାଡି ଦେଇଥିଲା। କୋଚ୍ରେ ଚଢିବା ବେଳେ ତାଙ୍କର ଟିଟିଇ ସହିତ କିଛି ଯୁକ୍ତିତର୍କ ହୋଇଥିଲା। ଆହତ ଯବାନଙ୍କ କହିବା ଅନୁସାରେ, ଟିଟିଇ ତାଙ୍କୁ ଟ୍ରେନ୍ରେ ଚଢିବାକୁ ରୋକିବା ସହ ମାରପିଟ୍ କରିଥିଲେ। ଏହାପରେ ଚଳନ୍ତା ଟ୍ରେନ୍ରୁ ଧକ୍କା ଦେଇଥିଲେ। ଯେଉଁ କାରଣରୁ ସେ ଟ୍ରେନ୍ରୁ ଖସି ପଡ଼ିଥିଲେ।
