ଆଜି ନିତୀଶଙ୍କ ଘରେ ଜେଡିୟୁ ବିଧାୟକ ଓ ସାଂସଦଙ୍କ ବୈଠକ, ବିହାର ସରକାରର ଭବିଷ୍ୟତ ନେଇ ହୋଇପାରେ ନିଷ୍ପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଚାଲିଥିବା କନ୍ଦଳ ଏବେ ଚରମରେ ପହଞ୍ଚିଥିବା କୁହାଯାଉଛି । ଏହାକୁ ନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜଣାପଡିଛି । ଏଥିରେ ଜେଡିୟୁର ସମସ୍ତ ସାଂସଦ ଓ ବିଧାୟକମାନେ ଯୋଗଦେବେ। ଅନୁମାନ କରାଯାଉଛି କି ଆଗାମୀ ଦିନରେ ମେଣ୍ଟର ଭବିଷ୍ୟତ କଣ ହେବ ସେନେଇ କିଛି ବଡ ନିଷ୍ପତ୍ତି ଏହି ବୈଠକରେ ନିଆଯାଇପାରେ । ସୂଚନା ଅନୁସାରେ, ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂ ଦଳ ଛାଡିବା ପରେ ଉତ୍ପନ୍ନ ସ୍ଥିତିକୁ ନେଇ ଆଲୋଚନା କରିବାକୁ ଏହି ବୈଠକ ଡକାଯାଇଛି ।ବୈଠକର ଗୋଟିଏ ଦିନ ପୂର୍ବରୁ ଜେଡିୟୁ ପ୍ରବକ୍ତା କେସି ତ୍ୟାଗୀ କହିଛନ୍ତି, ନୀତୀଶ କୁମାର ଜେଡିୟୁର ନିର୍ବିବାଦୀୟ ନେତା । ଦଳର ସମସ୍ତ ନେତା ଓ କର୍ମୀ ତାଙ୍କୁ ସମ୍ମାନ ଦିଅନ୍ତି । ତେଣୁ ଦଳ ମଧ୍ୟରେ କୌଣସି ବିଭାଜନର ପ୍ରଶ୍ନ ଉଠୁ ନାହିଁ । ନୀତୀଶଙ୍କ ନେତୃତ୍ୱରେ ଦଳ ଯାହା ବି ନିଷ୍ପତ୍ତି ନେବ ତାକୁ ସମସ୍ତେ ନିର୍ଦ୍ଵନ୍ଦରେ ଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ, ବିହାରରେ ଜାରି ରାଜନୈତିକ ହଲ୍ ଚଲ୍ ମଧ୍ୟରେ ଆରଜେଡି ମଧ୍ୟ ଆଜି ସକାଳ ୧୧ଟାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରି ଦେବୀଙ୍କ ୧୦ ସର୍କୁଲାର ରୋଡ ବାସଭବନରେ ତାର ବିଧାୟକ ମାନଙ୍କ ବୈଠକ ଡାକିଛି । ଅନ୍ୟପଟେ ଜିତନରାମ ମାଝି ମଧ୍ୟ ସନ୍ଧ୍ୟା ୭ଟାରେ ତାଙ୍କ ଦଳର ବିଧାୟକଙ୍କ ସହ ନିଜ ଘରେ ଏକ ବୈଠକ କରିବେ ବୋଲି ଜଣାପଡିଛି ।

Related Posts