ଓଡ଼ିଶାର ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାତିଲ୍ ହେବ ଓଡ଼ିଶାର ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ । ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୟ କିଷାନ କୌଲ୍ କହିଛନ୍ତି ଯେ, କୋର୍ଟକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ଛଡ଼ା ଅନ୍ୟ ଉପାୟ ନାହିଁ । କୋର୍ଟ କାର୍ଯ୍ୟ ଯେଭଳି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଧ୍ୟାନ ଦେଇ ପୋଲିସ ବ୍ୟବସ୍ଥା କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକସ୍ଥଳେ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଜୁଡ଼ିସିଆଲ ଅଧିକାରୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି। କୋର୍ଟ ପରିସର ଏବଂ ଅଭିଯୋଗକାରୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଆନ୍ଦୋଳନରତ ଓକିଲଙ୍କୁ ଟିପ୍ପଣୀ କରି ଜଷ୍ଟିସ୍ କୌଲ୍ କହିଛନ୍ତି ଯେ, ଆପଣମାନେ ଓଡ଼ିଶାରେ ୫ଟି ହାଇକୋର୍ଟ ଚାହୁଁଛନ୍ତି । ରାଜ୍ୟ କେତେ ବଡ଼ ? ଆପଣମାନେ କଣ ଗୋଟିଏ ଘର ବାହାରେ ଗୋଟିଏ ହାଇକୋର୍ଟ ଚାହାଁନ୍ତି ? ଓକିଲ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଲାଇସେନ୍ସ ବାତିଲ୍ ଲାଗି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୬ ସୁଦ୍ଧା ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର ନକଲେ ବାର କାଉନ୍ସିଲ ଅଫ ଇଣ୍ଡିଆରୁ ସଂପୃକ୍ତ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ମାମଲାରେ ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ବାର୍ କାଉନସିଲ୍ ଅଫ ଓଡ଼ିଶା ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ବାର୍ ଆସୋସିଏସନ୍କୁ ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Posts