ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୩୦ ତାରିଖରେ ବସିବ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଭାରତର ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋଚନା ହେବ ବୋଲି ଏଥିରେ ଦର୍ଶାଯାଇଛି। ସେପଟେ ଚଳିତ ମାସ ୧୬ ତାରିଖରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ଏଥିରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ। କିନ୍ତୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନମିଳିବାରୁ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ କାଟ୍ ଖାଇଯାଇଥିଲା। ଫଳରେ ମହିଳା ସଂରକ୍ଷଣ ବିଲ୍ ଆଗକୁ ବଢ଼ିପାରି ନଥିଲା। ବିଜେପି ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ ଲଗାତାର ଟାର୍ଗେଟ୍ କରିଚାଲିଛି। ବିରୋଧୀଙ୍କ ଷଡ଼ଯନ୍ତ୍ର ଯୋଗୁ ମହିଳା ସଂରକ୍ଷଣ ବିଲ୍ ଆଗକୁ ବଢ଼ିପାରିଲାନି ବୋଲି ବିଜେପି ଆରୋପ ଲଗାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ସପକ୍ଷରେ ପ୍ରସ୍ତାବ ପାରିତ କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି।
