ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ ପୂର୍ବତନ କ୍ରିକେଟ୍ ଅଧିନାୟକ ଆଝାରୁଦ୍ଦିନ। ତେବେ ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା ମନ୍ତ୍ରିମଣ୍ଡଳରେ ଗତବର୍ଷ ଅକ୍ଟୋବର ୩୧ ତାରିଖରେ ସାମିଲ ହୋଇଥିଲେ। ମନ୍ତ୍ରୀ ଭାବେ ଶପଥ ନେବା ବେଳେ ବିଧାନମଣ୍ଡଳ କୌଣସି ଗୃହର ସଦସ୍ୟ ନଥିଲେ ଆଝାରୁଦ୍ଦିନ। ମନ୍ତ୍ରୀ ଭାବରେ ଶପଥ ନେବାର ୬ ମାସ ମଧ୍ୟରେ କୌଣସି ଗୃହର ସଭ୍ୟ ହେବା ସାମ୍ବିଧାନିକ ନିୟମ ରହିଛି। ଆଗାମୀ ଏପ୍ରିଲ ୩୦ ତାରିଖରେ ୬ ମାସ ପୂରିବ। ଆଝାରୁଦ୍ଦିନଙ୍କୁ ରାଜ୍ୟପାଳଙ୍କ କୋଟାରେ ବିଧାନ ପରିଷଦକୁ ମନୋନୀତ କରିବା ପାଇଁ କଂଗ୍ରେସ ସରକାର ରାଜ୍ୟପାଳ ଶିବପ୍ରସାଦ ଶୁକ୍ଳାଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜ୍ୟପାଳ କିଛି ନିଷ୍ପତ୍ତି ନେଇ ନଥିବାରୁ ଆଝାରୁଦ୍ଦିନଙ୍କ ପାଖରେ ଇସ୍ତଫା ଦେବା ବ୍ୟତୀତ କୌଣସି ବିକଳ୍ପ ନାହିଁ। ସେପଟେ ଗତବର୍ଷ ହାଇଦ୍ରାବାଦ୍ ଜୁବିଲି ହିଲ୍ ବିଧାନସଭା ଆସନ ଉପନିର୍ବାଚନକୁ ଆଖି ଆଗରେ ରଖି ଆଝାରୁଦ୍ଦିନଙ୍କୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। କଂଗ୍ରେସ ଟିକେଟରେ ଜୁବିଲି ହିଲ୍ ଆସନରୁ ହାରିଥିବା ଆଝାରୁଦ୍ଦିନଙ୍କୁ ମନ୍ତ୍ରୀ କରାଯାଇଥିଲା। ଏବେ ବିଧାନ ପରିଷଦକୁ ଆଝାରୁଦ୍ଦିନଙ୍କୁ ମନୋନୟନ କରିବା ନେଇ ରାଜ୍ୟପାଳଙ୍କ ଟାଳଟୁଳ ନୀତି ସାମ୍ୱିଧାନିକ ସଂକଟ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ଆଝାରୁଦ୍ଦିନ ଏପ୍ରିଲ ୩୦ ପୂର୍ବରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇପାରନ୍ତି।