ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ରାକେଟ୍ କାର୍ଯ୍ୟ କରୁଛି: ବିଜେପି

ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ଓଡିଶା ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରରେ ବହୁ ପଛରେ ପଡିଯାଇଛି । ବିଜେଡି ସରକାରର ଚାଷୀମାରଣ ନୀତି କାରଣରୁ ଆଜି ରାଜ୍ୟର ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ହୋଇନାହିଁ । ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ରାଜ୍ୟ ସରକାର ମଣ୍ଡି ଖୋଲିବାର ଘୋଷଣା କରିଲେ । ମାତ୍ର ଆଜି ସୁଦ୍ଧା ସମସ୍ତ ସ୍ଥାନରେ ମଣ୍ଡି ଖୋଲା ଯାଇପାରିଲା ନାହିଁ । ମଣ୍ଡିର ସୁପରିଚାଳନା ପାଇଁ ସିସି ଟିଭି କ୍ୟାମେରା ଲାଗି ପାରିଲା ନାହିଁ । ଏପରିକି ଧାନମଣ୍ଡିକୁ ଆସୁଥିବା ଚାଷୀମାନଙ୍କ ମୈାଳିକ ସୁବିଧା ପାଇଁ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା ମଧ୍ୟ କରାଗଲା ନାହିଁ । କଟନୀ ଛଟନୀର ଶିକାର ହଲେ ଚାଷୀକୁଳ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ଟଙ୍କା ବୋନସ ତ ଦେଲେ ନାହିଁ ବରଂ କଟନୀ ଛଟନୀ କରି ଚାଷୀମାନଙ୍କଠାରୁ ଓଲଟା ୧୦୦ ରୁ ୨୦୦ଟଙ୍କା ବୋନସ ନେଇ ଯାଉଛନ୍ତି । ‘ରାଜ୍ୟ ସରକାର-ବେପାରୀ-ମିଲର୍ସ’ ମଧୁଚନ୍ଦ୍ରିକା କାରଣରୁ ଲକ୍ଷ ଲକ୍ଷ ଚାଷୀ ଅଭାବୀ ବିକ୍ରିର ମଧ୍ୟ ଶିକାର ହେଲେ । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନ କିଣା ଓ ମଣ୍ଡି ବ୍ୟବସ୍ଥା କାରଣରୁ ଆଜି ଲକ୍ଷ ଲକ୍ଷ କ୍ୱିଂଟାଲ ଧାନ କିଣା ଯାଇ ପାରୁନାହିଁ ଏବଂ ଶେଷରେ ନିରୀହ ଚାଷୀ ହନ୍ତସନ୍ତର ଶିକାର ହେଉଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କେଉଁ ଭଳି ଅବ୍ୟବସ୍ଥିତ ଭାବେ ଧାନ ସଂଗ୍ରହ କରାଯାଉଛି ତାହା ୫-ଟି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମ ହେଉଛି ଏହାର ପ୍ରକୃଷ୍ଠ ଉଦାହରଣ । ୩୪୬ଟି ରାଇସ ମିଲର୍ସ ଏବଂ ଧାନ ସଂଗ୍ରହ ପରିମାଣ ନିର୍ଦ୍ଧାରଣର ତାଲିକା କରି ଗଂଜାମ ଜିଲ୍ଲାପାଳ ଜିଲ୍ଲାରୁ ଧାନ ସଂଗ୍ରହ ପାଇଁ ଗତ ଡିସେମ୍ବର ୧୪ ତାରିଖ ଦିନ ନିର୍ଦ୍ଦେଶ ଦେଲେ । ତାଲିକାରେ ଅନିୟମିତତା ଓ ଭୁଲ୍ ଥିବା ଦର୍ଶାଇ ମିଲର୍ସ ଆସୋସିଏସନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ମିଲିଂ କ୍ଷମତା ଏବଂ ଆବଶ୍ୟକୀୟ ଗୋଦାମ ଘର ନଥିବା ସତ୍ୱେ ଏହି ତାଲିକାରେ ଥିବା କୁକୁଡାଖଣ୍ଡିସ୍ଥିତ ଦଣ୍ଡକାରିଣୀ ରାଇସ ମିଲ୍‌କୁ ୩୭,୧୮୬ କ୍ୱିଂଟାଲ ଏବଂ ଖଲିକୋଟସ୍ଥିତ ମଡର୍ଣ୍ଣ ରାଇସ ମିଲ୍‌କୁ ୫୯,୭୪୧ କ୍ୱଂଟାଲ ଧାନ ସଂଗ୍ରହ କରିବାକୁ କୁହାଯାଇଥିଲା । ବ୍ରହ୍ମପୁର ସମବାୟ ବ୍ୟାଂକର ସଭାପତି ଶିବରାମ ପାତ୍ର ହେଉଛନ୍ତି ଦଣ୍ଡକାରିଣୀ ରାଇସ ମିଲର ମାଲିକ ହୋଇଥିବାବେଳେ ଜିଲ୍ଲାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ଶାସକ ବିଜେଡିର ଜଣେ ନେତା ହେଉଛନ୍ତି ମଡର୍ଣ୍ଣ ରାଇସ ମିଲ୍‌ର ମାଲିକ । ଏହି ଦୁଇ ଜଣଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଜେଡି ସରକାରର କଣ ସଂପର୍କ ରହିଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ରାକେଟ୍ କାର୍ଯ୍ୟ କରୁଛି । ଏହାର କ୍ୟାପଟେନ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଭାଇସ କ୍ୟାପଟେନ ସାଜିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ । ଏହି ରାକେଟ୍ ରେ ଶାସକ ବିଜେଡିର ନେତା ଓ କର୍ମୀ, କିଛି ବିଭାଗୀୟ କର୍ମଚାରୀମାନେ ଟିମର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହି ରାକେଟ୍ ଜରିଆରେ ପ୍ରତି ବର୍ଷ ବିଜେଡି ସରକାର ୧୦୦୦ କୋଟି ଟଙ୍କାର ଦଳୀୟ ପାଣ୍ଠି ସଂଗ୍ରହ କରୁଛି । ଏହି ଦୁର୍ନୀତିର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯାଉ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତ ସରକାରୀ ଅଧିକାରୀ, ବେଆଇନ ଭାବେ ତାଲିକାରେ ଥିବା ରାଇସ ମିଲର୍ସ ମାଲିକଙ୍କ ବିରୁଦ୍ଧରେ ଫୋଜଦାରୀ ମାମଲା ରୁଜୁ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts