ଚେନ୍ନାଇର ଏକ ଔଷଧ କାରଖାନାରେ ଭୟଂକର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ତାମିଲନାଡୁର ଚେନ୍ନାଇର ଏକ ଔଷଧ କାରଖାନାରେ ଘଟିଛି ଭୟଂକର ଅଗ୍ନିକାଣ୍ଡ । ଉତ୍ତର ଚେନ୍ନାଇର ଅଶୋକ ନଗର ଅଞ୍ଚଳରେ ଥିବା ଔଷଧ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି । କେହି କିଛି ବୁଝିବା ପୂର୍ବରୁ ଚାରିଆଡେ ବ୍ୟାପିଯାଇଥିଲା ନିଆଁ । ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ଏତେ ଭୟଙ୍କର ଭାବେ ବ୍ୟାପିଥିଲା ଯେ ମାତ୍ର କେଇ ମିନିଟ୍‌ ମଧ୍ୟରେ ପୂରା ଗୋଦାମ ନିଆଁର ଆଁ ଭିତରକୁ ଚାଲିଆସିଥିଲା ।

ଔଷଧ ଗୋଦାମ ସହ ନିକଟରେ ଥିବା କିଛି ଗାଡି ମଧ୍ୟ ନିଆଁ ଦାଉରୁ ବର୍ତ୍ତିପାରି ନାହିଁ । ତେବେ ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ସୂଚନା ନାହିଁ । ଭିତରେ ଥିବା ସମସ୍ତ କର୍ମଚାରୀ ନିଆଁ ଲାଗିବା ପରେ ବାହାରକୁ ବାହାରି ଆସିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ଅଧିକାରୀ ରବିନ୍‌ କୁମାର କହିଛନ୍ତି, ସକାଳ ପ୍ରାୟ ସାଢେ ୮ଟା ବେଳେ ଖବର ଆସିଥିଲା ଯେ, ଅଶୋକ ନଗର ଅଞ୍ଚଳରେ ଥିବା ଏକ ଔଷଧ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲୁ । ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରାଯାଇଛି। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Posts