ରାଜ୍ୟରେ ଟିକା ନେବା ପରେ ୩୧ ହଜାର ୭୧୨ଜଣ କରୋନା ସଂକ୍ରମିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଟିକା ନେବା ପରେ ବି ଲୋକମାନେ ପଜିଟିଭ୍ ହେଉଛନ୍ତି । ତେବେ ରାଜ୍ୟରେ ଟିକା ନେବା ପରେ ବି ୩୧ ହଜାର ୭୧୨ ଜଣ କୋଭିଡ୍ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ ପ୍ରଥମ ଡ଼ୋଜ ଟିକା ନେବା ପରେ ୧୭ ହଜାର ୮୨୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ ହଜାର ୮୮୮ ଜଣ ଦ୍ୱିତୀୟ ଡ଼ୋଜ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି । 

ଅପରପକ୍ଷରେ ଟିକାକରଣରେ ଓଡିଶା ଆଉ ଏକ ରେକର୍ଡ଼ ସୃଷ୍ଟି କରିଛି। ରାଜ୍ୟରେ ୨କୋଟି ଅତିକ୍ରମ କରିଛି ଟିକାକରଣ । ଏଯାଏଁ ରାଜ୍ୟରେ ମୋଟ ୨କୋଟି ୨୧ହଜାର ୮୧୪ଟି କୋଭିଡ ଟିକାର ଡୋଜ ଦିଆଯାଇଛି । ତେବେ ଏଥି ମଧ୍ୟରୁ ୧କୋଟି ୫୩ଲକ୍ଷ ୮୭ହଜାର ୫୭୨ ପ୍ରଥମ ଡୋଜ ଏବଂ ୪୬ଲକ୍ଷ ୩୪ହଜାର ୨୪୨ଟି ଦ୍ୱିତୀୟ ଡୋଜ ଦିଆଯାଇଛି । ରାଜ୍ୟରେ ୫୦ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି ।

ତେବେ ଛୁଆ ମାନେ ଏବେ କରୋନା ଆକ୍ରାନ୍ତ ହେଉଥିବା କାରଣରୁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୪୭୬ ଜଣ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଗତ ଅଗଷ୍ଟ ୧୪ ତାରିଖରୁ ରାଜ୍ୟ ସରକାର ସଂକ୍ରମିତ ହେଉଥିବା ଶିଶୁଙ୍କ ତାଲିକା ଜାରି କରୁଛନ୍ତି । ୧୪ ତାରିଖରେ ରାଜ୍ୟରେ ମୋଟ୍‍ ୧୦୫୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ୧୩୮ ରହିଥିଲା । ୧୫ତାରିଖରେ ୮୬୮ ସଂକ୍ରମିତଙ୍କ ମଧ୍ୟରୁ ୧୦୪ଜଣ ଶିଶୁ ଥିବାବେଳେ ୧୬ତାରିଖରେ ୭୨୦ ସଂକ୍ରମିତଙ୍କ ମଧ୍ୟରେ ୯୬ ଜଣ ଏବଂ ୧୭ ତାରିଖରେ ୯୯୩ ସଂକ୍ରମିତଙ୍କ ମଧ୍ୟରୁ ୧୩୮ଜଣ ଶିଶୁ ରହିଛନ୍ତି । ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ବଢିବା ଏବଂ ଏହା ପ୍ରାୟ ୨୦ ପ୍ରତିଶତ ଆଖପାଖରେ ରହୁଥିବା ଲକ୍ଷ୍ୟ କରାଯାଉଛି ।

ସେହିଭଳି ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ କରୋନାରେ ଆଉ ୬୫ଜଣ ପ୍ରାଣ ହରାଇଥିବା ସହିତ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୭୦୮୬ରେ ପହଞ୍ଚିଛି । ମୃତକ ୬୫ଜଣଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୫ଜଣ ଥିବାବେଳେ ଜଗତସିଂହପୁର ଜିଲ୍ଲାରୁ ୧୧ଜଣ ରହିଛନ୍ତି ।

Related Posts