କେନ୍ଦୁଝରରୁ ଆସିଲା ଅଭାବନୀୟ ଦୃଶ୍ୟ : ଟିକା ପାଇଁ ସକାଳୁ ସଞ୍ଜ ଯାଏଁ ଧାଡ଼ିରେ ଠିଆ ହେଉଛନ୍ତି, ତଥାପି ବି ନିରାଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ସଫଳତାକୁ ନେଇ ସରକାର ଜୋରଦାର ପ୍ରଚାର କରୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକାକରଣ କେନ୍ଦ୍ର ଅଛି ଯେଉଁଠି ଲୋକେ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି । 

ତେବେ ବିଡମ୍ବନାର କଥା ହେଉଛି ଟିକା ପାଇଁ ଦିନ ସାରା ଅପେକ୍ଷା କରିବା ସତ୍ତ୍ବେ ମଧ୍ୟ ଲୋକେ ନିରାଶ ହୋଇ ଫେରୁଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ୍‌ ଫୁଲଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏଠାରେ କରୋନା ଟିକା ନେବା ପାଇଁ ଭିଡ ଜମିଥିବା ସତ୍ତ୍ଵେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । 

ଟୀକା ନେବା ପାଇଁ ଧାଡିରେ ଛିଡା ହୋଇଥିବା ଲୋକଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୧୩ ଘଣ୍ଟା କାଳ ଧାଡ଼ିରେ ଠିଆ ହେବା ପରେ ବି ଲୋକଙ୍କୁ ଟିକା ମିଳି ନଥିଲା । ତେବେ ଏହି ସମସ୍ୟା କେବଳ ଦିନକର ନୁହେଁ ବରଂ ପ୍ରାୟ ସବୁଦିନ ସକାଳ ୬ଟାରୁ ରାତି ୭ଟା ଯାଏଁ ଲୋକେ ଏମିତି ଧାଡ଼ି ବନ୍ଧି ଠିଆ ହେଉଛନ୍ତି ଏବଂ ଶେଷରେ ନିରାଶ ହୋଇ ଘରକୁ ଫେରୁଛନ୍ତି। 

ଏହି ଟିକାକରଣ କେନ୍ଦ୍ରରେ ଫୁଲଝର, କେନ୍ଦୁଘାଟି, କାସିଆ, ଇଟାପୋଖରୀ, ଦୁଧପଶି, ଧଳାଡିହି ଆଦି ବିଶେଷ ନିର୍ଭର କରନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ୫୦ ଏବଂ ୪୫ ରୁ ୬୦ ବୟସ୍କଙ୍କ ପାଇଁ ୨୫୦ଟି ଡୋଜ୍‌କୁ ମିଶାଇ ମୋଟ ୩ ଶହ ଟିକା ଦିଆଯାଇଥିଲା । ଏହାପରେ ଅତିରିକ୍ତ ୩୨୫ ଡୋଜ ଟିକା ସେହି କେନ୍ଦ୍ରକୁ ପଠାଯାଇଥିଲା । ଏସବୁ ସତ୍ତ୍ୱେ ୧୩ ଘଣ୍ଟା ଧରି ଅପେକ୍ଷା କରିବା ପରେ ଲୋକଙ୍କୁ ଟିକା ମିଳିନଥିଲା।ଫଳରେ ଲୋକେ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ NHMର ଡିଷ୍ଟ୍ରିକ୍ ପ୍ରୋଗ୍ରାମ୍ ମ୍ୟାନେଜରଙ୍କ ମତ ହେଉଛି ସମସ୍ତେ ଟିକା ପାଇଛନ୍ତି ।ପୂର୍ବରୁ NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ମଧ୍ୟ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା । ହେଲେ ଦୂରଦୂରାନ୍ତରୁ ଲୋକେ ଟିକା ନେବା ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । 

Related Posts