ଆଜିଠୁ ଆରମ୍ଭ ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପ୍ରକ୍ରିୟା; ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଭୋଟର ତାଲିକାରେ ସଂଯୋଗ ହେବ ଆଧାର କାର୍ଡ । ଏନେଇ ଆଜିଠୁ ଆରମ୍ଭ ହୋଇଛି ସଂଯୋଗୀକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି | ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତିା

ଆଇନ ଓ ବିଚାର ବିଭାଗ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ଲୋକପ୍ରତିନିଧି ଆଇନ୍ ୧୯୫୦ର ଧାରା ୨୮ ଅନୁଯାୟୀ ଭୋଟର ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ପଂଜୀକରଣ କରାଯିବ | ସେଥିଯୋଗୁଁ ପଞ୍ଜିକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ କେବଳ ଫର୍ମ ନଂ-୬ରେ ଆବେଦନ କରାଯାଇପାରିବ |

ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ଫର୍ମ ନଂ-୬(କ)ରେ ଆବେଦନ କରିପାରିବେ | ଫର୍ମ ନଂ-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦ ଦେବା ଓ ତା ସହିତ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ | ସେହିପରି ଫର୍ମ ନଂ-୮ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ କରିବା ନିମନ୍ତେ ଆବେଦନ କରାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି | ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ସ୍ବେଛାକୃତ ଭାବେ ଭୋଟର ତାଲିକା ସହ ଭୋଟରଙ୍କ ଆଧାର ସଂଯୋଗୀକରଣ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି |

ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ-୬(ଖ)ରେ ଆବେଦନ କରାଯିବ | ବୁଥ ସ୍ତରୀୟ ଅଧିକାରୀମାନେ ଭୋଟରଙ୍କଠାରୁ ଆଧାର ତଥ୍ୟ ଫର୍ମ ନଂ-୬ (ଖ)ରେ ସଂଗ୍ରହ କରିବେ | ଏହା ସ୍ବେଛାକୃତ ଭାବେ ସଂଗ୍ରହ କରାଯିବ | ଲୋକପ୍ରତିନିଧି ଆଇନ୍ ୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବ | ଭୋଟର ଏବଂ ଭୋଟର ତାଲିକାରେ ନାମ ପଂଜୀକରଣ କରିବାକୁ ଥିବା ଭୋଟରମାନେ ସ୍ବେଛାକୃତ ଭାବେ ଆଧାର ବିବରଣୀ ପ୍ରଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି |

Related Posts