ମହାରାଷ୍ଟ୍ରକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଜର ବିବାଦୀୟ ମନ୍ତବ୍ୟ ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଶେଷରେ କ୍ଷମା ମାଗିଛନ୍ତି। ସେ ଗୋଟିଏ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ମରାଠୀ ଲୋକଙ୍କୁ ନେଇ ଏକ ବିବାଦୀୟ ବୟାନ ଦେବା ପରେ ଏହାକୁ ନେଇ ମହାରାଷ୍ଟ୍ରରେ ରାଜନୀତିକ ଝଡ଼ ଦେଖାଇ ଯାଇଥିଲା।

ବର୍ତ୍ତମାନ ବିବାଦକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୋଶିୟାରୀ କ୍ଷମା ପ୍ରାର୍ଥନା କରିଛନ୍ତି।ନିଜର କ୍ଷମା ପ୍ରାର୍ଥନାରେ ରାଜ୍ୟପାଳ କହିଛନ୍ତି, “ଗତ ଜୁଲାଇ ୨୯ ତାରିଖରେ ମୁମ୍ବାଇର ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଯୋଗଦାନ ସମ୍ପର୍କରେ ମୁଁ ଦେଇଥିବା ବୟାନ ଭୁଲ ଥିଲା।କେବଳ ମହାରାଷ୍ଟ୍ର ନୁହେଁ, ପୂରା ଭାରତର ବିକାଶ ପାଇଁ ସମସ୍ତଙ୍କର ସ୍ୱତନ୍ତ୍ର ଅବଦାନ ରହିଛି। ବର୍ତ୍ତମାନ ଭାରତ ବିକାଶ ଦିଗରେ ଗତି କରୁଛି।ବିଶେଷ କରି ରାଜ୍ୟ ଗୁଡ଼ିକର ଉଦାରତା ଓ ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବା ପରମ୍ପରା ଯୋଗୁ ହିଁ ଆଜି ଦେଶ ବିକାଶର ରାସ୍ତାରେ ଚାଲି ପାରିଛି। ବିଗତ ପ୍ରାୟ ୩ ବର୍ଷ ଧରି ମହାରାଷ୍ଟ୍ର ଲୋକଙ୍କ ଠାରୁ ଅନେକ ଭଲ ପାଇବା ମିଳିଛି। ମୁଁ ମହାରାଷ୍ଟ୍ର ଓ ମରାଠୀ ଭାଷାର ସମ୍ମାନ ବଢ଼ାଇବା ପାଇଁ ପୂରା ଚେଷ୍ଟା କରିଛି। କିନ୍ତୁ ସେଦିନର ଭାଷଣରେ ମୋର କିଛି ଭୁଲ ହୋଇଯାଇଛି। ସେହି ଭୁଲକୁ ମହାରାଷ୍ଟ୍ର ଭଳି ମହାନ ପ୍ରଦେଶର ଅବମାନନା ରୂପେ ବିବେଚନା କରିବା କଥା କେବେ ହେଲେ କଳ୍ପନା କରାଯାଇ ପାରିବନାହିଁ। ମହାରାଷ୍ଟ୍ରର ମହାନ ସନ୍ଥ ପରମ୍ପରାରେ ଆପଣ ଏହି ବିନମ୍ର ରାଜ୍ୟ ସେବକକୁ କ୍ଷମା କରି ନିଜର ବିଶାଳ ହୃଦୟର ପରିଚୟ ଦିଅନ୍ତୁ।”

ସୂଚନା ଅନୁସାରେ ଗତ ଜୁଲାଇ ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ କୋଶିୟାରୀ ଯୋଗଦେଇ କହିଥିଲେ ଯେ “ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ର, ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡ଼ିଯିବ।ମୁମ୍ବାଇ ଠାରୁ ଅର୍ଥନୈତିକ ରାଜଧାନୀର ଟ୍ୟାଗ ମଧ୍ୟ ହାରିଯିବ।” ରାଜ୍ୟପାଳଙ୍କ ଏହି ବୟାନକୁ ରାଜ୍ୟ ସାରା ତମ୍ବିତୋଫାନ ଆରମ୍ଭ ହୋଇଥିଲା। ଏହାପରେ ଆଜି ଏହି ଘଟଣାକୁ ନେଇ ରାଜ୍ୟପାଳ କ୍ଷମା ପ୍ରାର୍ଥନା କରିଛନ୍ତି।

Related Posts