ଦୁଲଖପାଟଣା ଷ୍ଟେସନରେ ଅଘଟଣ: ଟ୍ରେନରୁ ଖସି ତିନିଜଣ ଗୁରୁତର

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ରେଳଷ୍ଟେସନ ଅନତିଦୂର ଦୁଲଖପାଟଣା ଷ୍ଟେସନରେ ଘଟିଛି ଅଘଟଣ । ଟ୍ରେନରୁ ଖସି ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୭ଟା ସମୟରେ ବାଲେଶ୍ୱର -ଭୁବନେଶ୍ୱର ମେମୁ ଟ୍ରେନ ଦୁଲଖପାଟଣା ଷ୍ଟେସନରେ ଅଟକିବା ପରେ ଯାତ୍ରୀମାନେ ଟ୍ରେନରେ ଚଢୁଥିଲେ। କିଛି ସମୟ ପରେ ଧାରଣାରୁ ଟ୍ରେନ ଛାଡୁଥିବା ବେଳେ ତିନି ଜଣ ଟ୍ରେନରୁ ଖସି ପଡ଼ିଥିଲେ। ଟ୍ରେନଟି ଜାମ ଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଲୋକେ ଟ୍ରେନକୁ ଅଟକ ରଖି ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ।

ଡାଉନଲାଇନରେ ଆସୁଥିବା ଇଷ୍ଟକୋଷ୍ଟ ଏକ୍ସପ୍ରେସକୁ ମଧ୍ୟ ଅଟକ ରଖିଥିଲେ। ଏଠାରେ ଦୀର୍ଘ ୩ ଘଣ୍ଟା ଧରି ଉଭୟ ପାର୍ଶ୍ଵରେ ଟ୍ରେନ ଅଟକି ରହିଛି। ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ, ଆରପିଏଫ ଓ ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ଆଲୋଚନା ଜାରି ରଖିଥିବା ଜଣାପଡିଛି। ଟ୍ରେନ ଜାମ ଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଭଦ୍ରକରୁ ମେମୋ ଟ୍ରେନକୁ ଚଲାଇବାକୁ ଦାବି କରୁଥିଲେ ସୁଦ୍ଧା ରେଳ ବିଭାଗ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି

Related Posts