ଲକ୍ଷ୍ନୌ ଇଟୌଜା ପୋଲିସ ଷ୍ଟେସନ ନିକଟରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିଲା ଟ୍ରାକ୍ଟର, ୯ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ: ଲକ୍ଷ୍ନୌ ନିକଟବର୍ତ୍ତୀ ଇଟୌଜା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ଏକ ବଡ଼ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିଛି । ଫଳରେ ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରାକ୍ଟର ଟ୍ରଲି (ଡାଲା)ରେ ପ୍ରାୟ 45 ଜଣ ଯାତ୍ରା କରୁଥିବାର କୁହାଯାଉଛି । ଆସନା ଅଞ୍ଚଳରେ ରାସ୍ତାରେ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଥିଲା । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଉଛି ରେସ୍କ୍ୟୁ ଟିମ । ଏଥିସହ 34 ଜଣଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିବା ମଧ୍ୟ ସୂଚନା ମିଳିଛି । କିଛି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତ ଏହି ଯାତ୍ରୀମାନେ କୌଣସି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଟ୍ରାକ୍ଟର ଡାଲାରେ ଏପରି ବିପଦସଙ୍କୁଳ ଅବସ୍ଥାରେ ଯାଉଥିବା ନେଇ ମଧ୍ୟ କୁହାଯାଇଛି । ଅଘଟଣ ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା କେହି ନିଖୋଜ ଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ମିଳିପାରିନାହିଁ । ସ୍ଥାନୀୟ ପୋଲିସ ଆଇଜି ଲକ୍ଷ୍ମୀ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାଥମିକ ତଦନ୍ତ ମଧ୍ୟ ଜାରି ରଖିଛନ୍ତି ।

Related Posts