ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବିରୋଧୀଙ୍କୁ ମାତ ଦେଇ ବହୁ ଆଗରେ ରହିଛି ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବିରୋଧୀଙ୍କୁ ମାତ ଦେଇ ବହୁ ଆଗରେ ରହିଛି ବିଜେଡି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଚାଲିଛି। ସନ୍ଧ୍ୟା ୬ଟା ସୁଦ୍ଧା ଆସିଥିବା ସୂଚନା ଅନୁଯାୟୀ, ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରୁ ୨୭୫ଟିରେ ବିଜେଡି ଆଗୁଆ ରହିଛି। ବିଜେପି ମାତ୍ର ୨୧ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସର ସ୍ଥିତି ଆହୁରି ଖରାପ। କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି। ଏହି ୩୧୫ଟି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ରହିଥିବା ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ନିମନ୍ତେ ମଧ୍ୟ ଭୋଟ୍ ଗଣତି ହୋଇଛି। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ସେହିପରି ୨୭ରେ ୩୦୭ଟି ଓ ୨୮ରେ ବାକି ୨୨୯ଟି ଜୋନ୍ର ଫଳାଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ପାଞ୍ଚ ପର୍ୟ୍ୟାୟ ବିଶିଷ୍ଟ ନିର୍ବାଚନ ଚଳିତ ମାସ ୧୬ରୁ ୨୪ତାରିଖ ପର୍ୟ୍ୟନ୍ତ ଚାଲିଥିଲା।

ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟରଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ୟ୍ୟାୟରେ ୭୮.୩%, ତୃତୀୟ ପର୍ୟ୍ୟାୟରେ ୭୮.୬%, ଚତୁର୍ଥ ପର୍ୟ୍ୟାୟରେ ୭୯% ଓ ପଞ୍ଚମ ପର୍ୟ୍ୟାୟରେ ୭୬% ମତଦାନ ରେକର୍ଡ କରାଯାଇଥିଲା। ମାତ୍ର ଏଥର ପଞ୍ଚାୟତ ନିର୍ବାଚନରେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଯେଭଳି ହିଂସାକାଣ୍ଡ, ବୁଥ ରିଗିଂ ଓ ଅନ୍ୟାନ୍ୟ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା, ତାହା ଓଡ଼ିଶା ନିର୍ବାଚନ ଇତିହାସରେ ପୂର୍ବରୁ କେବେ ହୋଇ ନଥିଲା ବୋଲି କୁହାଯାଉଛି।

Related Posts