ଭଦ୍ରକ ଜିଲ୍ଲା ରାଉତ ସାହିରେ ଜମିଜମା ବିବାଦକୁ କେନ୍ଦ୍ର କରି ଏସିଡ୍ ମାଡ: ସ୍ବାମୀ-ସ୍ତ୍ରୀ ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ରାଉତ ସାହି ଗ୍ରାମରେ ଘଟିଛି ଅଘଟଣ । ଜମିଜମା ବିବାଦକୁ କେନ୍ଦ୍ର କରି ଏସିଡ୍ ମାଡ ହୋଇଛି । ଫଳରେ ଏଥିରେ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ରାଉତ ସାହି ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗିଥିଲା । ବୁଧବାର ଗୋଟିଏ ପରିବାର ଉପରକୁ ଏସିଡ୍ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏସିଡ୍ ମାଡରେ ଶୈଳେନ୍ଦ୍ର ନାୟକ ଓ ତାଙ୍କ ସ୍ତ୍ରୀ ସରସ୍ବତୀ ନାୟକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ବାସୁଦେବପୁର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଶୈଳେନ୍ଦ୍ର ସେହି ଗ୍ରାମର ବିଜୟ କୁମାର ସାହୁଙ୍କ ବାଡି ପାଖରେ ଏକ ଜମି ଗତ ୬ ମାସ ପୂର୍ବେ କିଣିଥିଲେ। ଉକ୍ତ ଜମିରେ ବିଜୟଙ୍କ ପରିବାରର କିଛି ଜମି ଥିବା ଶୈଳେନ୍ଦ୍ରକୁ କହିଥିଲେ । ଯାହାକୁ ନେଇ ବାରମ୍ବାର ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ଥାନାରେ ବୁଝାମଣା ହୋଇଥିଲା । ଉକ୍ତ ଜମିରେ ଶୈଳେନ୍ଦ୍ର ଓ ତାଙ୍କ ସ୍ତ୍ରୀ ବାଡ ଘେରୁଥିବା ସମୟରେ ବିଜୟ ଓ ତାଙ୍କ ଦୁଇ ପୁଅ ଏକ ବାଲଟିରେ ଏସିଡ୍ ଆଣି ଉଭୟଙ୍କ ଉପରକୁ ଛାଟି ଦୌଡି ପଳାଇ ଯାଇଥିଲେ। ପରେ ସ୍ଥାନୀୟ ପଡୋଶୀ ଉଭୟଙ୍କ ଚିତ୍କାର ଶୁଣି ତୁରନ୍ତ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ଏସିଡ୍ ମାଡରେ ଶୈଳେନ୍ଦ୍ର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ସ୍ତ୍ରୀ ସରସ୍ବତୀଙ୍କ ମୁହଁ ଓ ଆଖିରେ ଏସିଡ୍ ପଡିଯାଇଥିବା ଦେଖିବାକୁ ମିଳିଛି ।

Related Posts