ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ୧୭ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ଘଟଣାରେ ଅନଲାଇନ୍ ସପିଂ ସାଇଟ୍ ଫ୍ଲିପକାର୍ଟକୁ ନୋଟିସ୍। କାରଣ ଅଭିଯୁକ୍ତମାନେ ଅନଲାଇନରୁ ହିଁ ମଗେଇଥିଲେ ଏସିଡ୍। ସୁପ୍ରିମକୋର୍ଟଙ୍କ ଏସିଡ୍ ବିକ୍ରୟ ଉପରେ ନିଷେଧାଦେଶ ସତ୍ତ୍ୱେ ଅନଲାଇନ୍ କିମ୍ବା ଦୋକାନରୁ ଏସିଡ୍ କିଣିବା କେତେ ସହଜ ତାହା ଏହି ଘଟଣା ପ୍ରମାଣିତ କରିଛି। ତେବେ ଅନଲାଇନ୍ ସପିଂ ସାଇଟ୍ ଫ୍ଲିପକାର୍ଟ ଏବଂ ଆମାଜନରେ ଏହା ସହଜରେ ମିଳିଯିବାରୁ ଦିଲ୍ଲୀ ମହିଳାଆୟୋଗ ଏହାକୁ ବିରୋଧ କରି ସେମାନଙ୍କୁ ନୋଟିସ୍ ପଠାଇଛନ୍ତି।
ସୁଚନାଯୋଗ୍ୟ ଯେ, ଦ୍ୱାରିକା ଅଞ୍ଚଳରେ ୧୭ବର୍ଷର ବାଳିକା ଉପରେ ଦୁଇ ଜଣ ବାଇକ୍ ଚାଳକ ଏସିଡ୍ ଆକ୍ରମଣ କରିଥିଲା। ଏହି ଘଟଣାରେ ବୁଧବାର ଦିନ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ପୀଡିତା ଗୁରୁତର ଆହତ ହୋଇଛନ୍ତି। ନାବାଳିକା ଜଣକ ବର୍ତ୍ତମାନ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣ ପରେ ଝିଅର ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ‘ ଝିଅର ଅବସ୍ଥା ଗୁରୁତର। ଏସିଡ୍ ଝିଅର ମୁହଁ ଏବଂ ଆଖିରେ ପଡ଼ିଛି। ସେ ଆହୁରି କହିଛନ୍ତି, ମୋର ଦୁଇ ଝିଅ। ସେମାନେ ବାହାରକୁ ଯିବା ସମୟରେ ହଠାତ୍ ଦୁଇଜଣ ବାଇକ୍ ଯୋଗେ ଆସି ମୋ ବଡ ଝିଅ ଉପରେ ଏସିଡ୍ ଫିଙ୍ଗି ଚାଲିଗଲେ। । ‘
ଏହି ପୂରା ଘଟଣା ସାମାନ୍ୟ ଏକ ଝଗଡ଼ାପାଇଁ। ଏଥିପାଇଁ ଛାତ୍ରୀ ଉପରେ ଏସିଡ୍ ଆକ୍ରମଣର ଯୋଜନା କରିଥିଲେ ୨୦ବର୍ଷ ବୟସ୍କା ସଚିନ୍ ଆରୋରା। ତାଙ୍କୁ ଏଥିରେ ସାହାଯ୍ୟ କରିଥିଲେ ୧୯ବର୍ଷୀୟ ହର୍ଷିତ ଅଗ୍ରୱାଲ ଏବଂ ୨୨ବର୍ଷୀୟ ବିରେନ୍ଦର ସିଂ । ସଚିନ ଅନଲାଇନରେ ଏସିଡ୍ ଅର୍ଡର କରିଥିଲେ। ପ୍ରମାଣ ଦର୍ଶାଇ ବରିଷ୍ଠ ପୋଲିସ ଅଧିକାରୀ ପ୍ରୀତ ହୁଡା କହିଛନ୍ତି ଯେ ସଚିନ ଆରୋରା ଏହାକୁ ଫ୍ଲିପକାର୍ଟରୁ କିଣିଛନ୍ତି ଏବଂ ତାଙ୍କ ଇ-ୱାଲେଟ ବ୍ୟବହାର କରି ଦେୟ ଦେଇଛନ୍ତି। ଇ-କମର୍ସ ପୋର୍ଟାଲ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।
ଏସିଡ୍ ଆକ୍ରମଣ ବୃଦ୍ଧି ଯୋଗୁ ୨୦୧୩ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏସିଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏସିଡ୍ ବିକ୍ରେତାଙ୍କ ଉପରେ କୋର୍ଟ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ। କେବଳ ଲାଇସେନ୍ସପ୍ରାପ୍ତ ଦୋକାନୀମାନେ ଏସିଡ୍ ବିକ୍ରୟ କରିପାରିବେ, ସେମାନଙ୍କୁ ଏଥିପାଇଁ ପଞ୍ଜୀକୃତ କରିବାକୁ ପଡିବ ଏବଂ ସେମାନଙ୍କଠାରୁ ଏସିଡ୍ କିଣୁଥିବା ବ୍ୟକ୍ତିଙ୍କ ପାଇଁ ଏକ ରେଜିଷ୍ଟର ରଖିବାକୁ ପଡିବ। ଯେଉଁମାନେ ଏସିଡ୍ କିଣୁଛନ୍ତି ସେମାନଙ୍କୁ ମଧ୍ୟ କାରଣ ଏବଂ ଆଇଡି ପ୍ରୁଫ୍ ଦେବାକୁ ପଡିବ। ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଦୁର୍ଭାଗ୍ୟଜନକ ଯେ ଆୟୋଗର ବାରମ୍ବାର ସୁପାରିଶ ସତ୍ତ୍ୱେ ଏସିଡର ଖୁଚୁରା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ। ଏସିଡ୍ ଖୋଲାଖୋଲି ଭାବେ ବଜାରରେ ବିକ୍ରି ହେଉଛି। ପ୍ରକୃତରେ, ପନିପରିବା କିଣିବା ପରି ଏସିଡ୍ ପାଇବା ଏବେ ସହଜ! ସରକାରଙ୍କୁ ଏସିଡର ଖୁଚୁରା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍। ‘
