ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୩ ବିଜ୍ଞପ୍ତି; ଏଥର ୨ଟି ପର୍ଯ୍ୟାୟରେ ହେବ ପରୀକ୍ଷା, ଓଡ଼ିଆ ସମେତ ୧୩ ଭାଷାରେ ଆସିବ ପ୍ରଶ୍ନପତ୍ର

ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ଦେଶରେ ଥିବା ଆଇଆଇଟି, ଏନଆଇଟି ସମେତ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ଦୁଇଟି ସେସନ୍‌ରେ ଜେଇଇ ମେନ ଅନୁଷ୍ଠିତ ହେବ ।

ତେବେ ଆସନ୍ତା ଜାନୁଆରୀ ୨୪,୨୫,୨୭,୨୮,୨୯,୩୦, ୩୧ରେ ପ୍ରଥମ ସେସନ୍‌ ପରୀକ୍ଷା ହେବାକୁ ଥିବାବେଳେ ଏପ୍ରିଲ ୬,୮,୧୦,୧୧,୧୨ରେ ଦ୍ବିତୀୟ ସେସନ୍‌ ପରୀକ୍ଷା ହେବ । ଏନେଇ ଛାତ୍ରଛାତ୍ରୀ ମାନେ ଜାନୁଆରୀ ୧୨ ରାତି ୯ଟା ଯାଏଁ ଫର୍ମ ପୂରଣ କରି ପାରିବେ । ଏଥର ବି କେବଳ ଅନଲାଇନରେ ଆବେଦନ କରିବା ସହ ୧୧ ଟା ୫୦ ମଧ୍ୟରେ ଫି ଦାଖଲ କରିପାରିବେ ।jeemain.nta.nic.in ରେ ଏହି ଫର୍ମ ପୂରଣ କରାଯାଇପାରିବ ।

ଗତବର୍ଷ ପରି ଏଥର ମଧ୍ୟ ଓଡ଼ିଆ, ଇଂରାଜୀ, ହିନ୍ଦୀ ସମେତ ମୋଟ ୧୩ଟି ଭାରତୀୟ ଭାଷାରେ ପ୍ରଶ୍ନପତ୍ର ଆସିବ । ଅନ୍ୟ ଭାଷାଗୁଡ଼ିକ ହେଲା ବଙ୍ଗଳା, ପଂଜାବୀ, ତେଲଗୁ, ତାମିଲ, ମରାଠି, ଉର୍ଦୁ, ଗୁଜରାଟି, ମଲାୟାଲମ ଓ ଅହମିଆ ।

ସେହିପରି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍‌(ୟୁଜି) ପ୍ରବେଶିକା ପରୀକ୍ଷା ୨୦୨୩ ମେ ୭ରେ ଅନୁଷ୍ଠିତ ହେବ । ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ମେ ୨୧ରୁ ୩୧ ମଧ୍ୟରେ ହେବ । ଆଇସିଏଆର ଏଆଇଇଇଏ ୨୦୨୩ ପରୀକ୍ଷା ଏପ୍ରିଲ ୨୬ରୁ ୨୯ ମଧ୍ୟରେ ହେବ । ଛାତ୍ରଛାତ୍ରୀ ଅଧିକ ତଥ୍ୟ ଲାଗି www.nta.ac.in ୱେବସାଇଟ୍‌ ପରିଦର୍ଶନ କରିପାରିବେ ।

Related Posts