ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ ଅଭିଯୋଗରେ ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୨ ବର୍ଷ ପାଇଁ ବ୍ୟାନ୍‌ କଲା ବିସିସିଆଇ

ମୁମ୍ବାଇ: ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ବିସିସିଆଇ ପକ୍ଷରୁ ତାଙ୍କୁ ୨ ବର୍ଷ ପାଇଁ ବ୍ୟାନ୍‌ କରାଯାଇଛି। ବୋରିଆଙ୍କ ବ୍ୟାନ୍ ସମ୍ପର୍କରେ ବିସିସିଆଇ ପକ୍ଷରୁ ସମସ୍ତ ରାଜ୍ୟର କ୍ରିକେଟ ଆସୋସିଏସନଗୁଡ଼ିକୁ ଅବଗତ କାରାଯାଇଛି।

ସୂଚନାଯୋଗ୍ୟ, ଟିମ୍‌ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ବିସିସିଆଇ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରିଦ୍ଧିମାନ ସାହା ସାକ୍ଷାତକାର ଦେବାକୁ ମନା କରିବାରୁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏକଥା ସାହା ଟ୍ୱିଟ କରି ଅବଗତ କରାଇଥିଲେ। ଅବଶ୍ୟ ସାହା ସେତେବେଳେ ଉକ୍ତ ସାମ୍ବାଦିକଙ୍କ ନାଁ ସାର୍ବଜନୀନ କରି ନଥିଲେ। ତେବେ ବିସିସିଆଇ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲା।

ଏହି କମିଟିରେ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୁମାଲ ଓ କାଉନସିଲର ପ୍ରଭଜୀତ ସିଂହ ଭାଟିଆ ରହିଥିଲେ। ତଦନ୍ତ ବେଳେ ୩ ଜଣିଆ କମିଟି ବୋରିଆ ଓ ସାହାଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ ବିସିସିଆଇର ଆପେକ୍ସ ବଡିକୁ ବୋରିଆଙ୍କ ଉପରେ ୨ ବର୍ଷର ବ୍ୟାନ ଲଗାଇବାକୁ ସୁପାରିସ କରିଥିଲା।

ବୋରିଆଙ୍କ ଉପରେ ୨ ବର୍ଷର ବ୍ୟାନ୍ ଲାଗିଥିବାରୁ ତାଙ୍କୁ ଭାରତରେ ଅନୁଷ୍ଠିତ ହେଉଥିବା କୌଣସି ପ୍ରକାରର ଘରୋଇ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସାମ୍ବାଦିକ ଭାବେ ପାସ୍‌ ମିଳିବ ନାହିଁ। ସେ ବ୍ୟାନ ଅବଧି ମଧ୍ୟରେ ପଞ୍ଜିକୃତ ହୋଇଥିବା କୌଣସି ଭାରତୀୟ କ୍ରିକେଟରଙ୍କ ସାକ୍ଷାତକାର ନେଇ ପାରିବେ ନାହିଁ। ୨ ବର୍ଷ ଯାଏ ବୋରିଆଙ୍କୁ ବିସିସିଆଇ କିମ୍ବା ଏହା ସହ ଜଡ଼ିତ ଆସୋସିଏସନରୁ କୌଣସି ପ୍ରକାରର ସହାୟତା ମିଳିବ ନାହିଁ। ଏ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ବିସିସିଆଇ ପକ୍ଷରୁ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନକୁ କୁହାଯାଇଛି।

ଫେବୃଆରୀ ମାସରେ ସାହା ଟ୍ୱିଟ କରି ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ। ସେ ଟ୍ୱିଟ କରି ତାଙ୍କୁ ମିଳିଥିବା ଧମକର ସ୍କ୍ରିନ ଶଟ୍ ମଧ୍ୟ ଶେୟାର କରିଥିଲେ। ସେ କହିଥିଲେ ଯେ “ଭାରତୀୟ କ୍ରିକେଟକୁ ମୋର ସବୁ କିଛି ଯୋଗାଦାନ ପରେ ଶେଷରେ ମୋତେ ଜଣେ ତଥାକଥିତ ସାମ୍ମାନୀୟ ସାମ୍ବାଦିକଙ୍କ ଠାରୁ ଏଭଳି କଥା ଶୁଣିବାକୁ ମିଳିଛି। ଏବେ ସାମ୍ବାଦିକତା ଏପରି ସ୍ତରକୁ ଚାଲି ଗଲାଣି।” ସାହା ପ୍ରଥମେ ନାଁ ସାର୍ବଜନୀନ କରି ନଥିଲେ ମଧ୍ୟ ବିସିସିଆଇକୁ ଗୁପ୍ତ ଭାବେ ବୋରିଆଙ୍କ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଇଣ୍ଟରନାଲ ଚିଠିରେ ଅନ୍ତରୀଣ ସିଇଓ ହେମାଙ୍ଗ ଅମୀନଙ୍କ ଦସ୍ତଖତ ରହିଛି।

Related Posts