ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଶେଷରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସବୁଠାରୁ ବଡ଼ କଥା ହେଲା ଯେଉଁ ପୋଲିସ କର୍ମୀମାନଙ୍କୁ ପୁରସ୍କାର ଦେବାକୁ DCP କହୁଥିଲେ ସେମାନଙ୍କୁ ସସପେଣ୍ଡ୍ କରାଯାଇଛି। ବାଲିଅନ୍ତା ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ଅନୀଲ ପରିଡ଼ାଙ୍କୁ UPD, ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଛି।

ଏହା ସହିତ ଜଣେ ସବ୍- ଇନ୍ସପେକ୍ଟର (SI), ଜଣେ ଅସିଷ୍ଟାଣ୍ଟ ସବ୍- ଇନ୍ସପେକ୍ଟର (ASI), ଜଣେ OAPF କର୍ମଚାରୀ ଓ ଜଣେ କନଷ୍ଟେବଲଙ୍କୁ ସସପେଣ୍ଡ୍ କରାଯାଇଛି। ଏହାସହିତ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଘଟଣା ସମୟରେ କାର୍ଯ୍ୟରେ ଅବହେଳା ଓ ଶାନ୍ତି-ଶୃଙ୍ଖଳା ରକ୍ଷାରେ ଅସଫଳତାକୁ ନେଇ ଏହି କଠୋର ପଦକ୍ଷେପ ନିଆଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପ୍ରଶାସନ ଅଧିକ ସତର୍କତା ବଢ଼ାଇଛି। ତଦନ୍ତ ଚାଲୁ ରହିଛି ଏବଂ ଦୋଷୀଙ୍କ ବିରୋଧରେ ଆଗାମୀ ଦିନରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି।

ତେବେ ମୃତ ସୌମ୍ୟଙ୍କୁ ଯେତେବେଳେ ଭିଡ଼ ଆକ୍ରମଣ କରୁଥିଲା, ସେତେବେଳେ ସେ ସ୍ଥାନରେ ପୋଲିସ ଉପସ୍ଥିତ ଥିଲେ। ସୌମ୍ୟ ଜଣେ ପୋଲିସ ବିଭାଗର କର୍ମଚାରୀ ହୋଇଥିବା ବେଳେ ପୋଲିସ ସାମ୍ନାରେ ଭିଡ଼ ଆଉ ଜଣେ ପୋଲିସକୁ ମାଡ଼ ମାରୁଥିଲେ। ଘଟଣା ସମୟର ଭିଡିଓରେ ଏ ଦୃଶ୍ୟ ସ୍ପଷ୍ଟ ଦେଖାଯାଉଥିଲା । ପୋଲିସ ଉପସ୍ଥିତିରେ ଏଭଳି ହତ୍ୟା ଘଟିଥିବା ନେଇ ଯେତେବେଳେ ଭୁବନେଶ୍ୱର DCP ଜଗମୋହନ ମୀନାଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ସିଧାସଳଖ ଏହାକୁ ଖଣ୍ଡନ କରିଥିଲେ । ସେ କହିଥିଲେ, ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ସେମାନେ ପରିସ୍ଥିତିକୁ ଶାନ୍ତ କରିଥିଲେ, ଏଥିପାଇଁ ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ। ହେଲେ ଏ ଘଟଣାରେ ପୋଲିସ କେତେ ଖାମଖିଆଲ ଥିଲା ତାହା ସ୍ପଷ୍ଟ ଜଣାପଡୁଥିଲା। ଏପରିକି ସୌମ୍ୟଙ୍କୁ PCR ଗାଡିରେ ମେଡିକାଲ ନିଆଯାଇନଥିଲା । ଏକ ଟ୍ରକ ଡାଲାରେ ଆକ୍ରମଣକାରୀମାନେ ତାଙ୍କୁ ଧରି ଯାଉଥିବା ବେଳେ ପୋଲିସ PCR ତାଙ୍କୁ ଏସକର୍ଟ କରି ନେଉଥିବା ଚିତ୍ର CCTV ରୁ ଜଣାପଡିଥିଲା। ଏହାପରେ ନିଜ ପୋଲିସ କର୍ମୀଙ୍କ ଭୁଲ ଲୁଚାଇବାକୁ DCP କିଭଳି ଗଣମାଧ୍ୟମକୁ ଭୁଆଁ ବୁଲାଇଥିଲେ ତାହା ବି ସ୍ପଷ୍ଟ ହୋଇଥିଲା । ଶେଷରେ DCP ଯେଉଁ ପୋଲିସକର୍ମୀଙ୍କୁ ପ୍ରସଂସାର ପାତ୍ର ବୋଲି କହୁଥିଲେ ସେମାନଙ୍କୁ ସସପେଣ୍ଡ କରାଯାଇଛି ।