ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଦିଲ୍ଲୀ ମହାନଗର ନିଗମ (ଏମ୍ସିଡି) ନିର୍ବାଚନର ଏକ୍ଜିଟ ପୋଲ ସାମ୍ନାକୁ ଆସିଛି । ଦୀର୍ଘ ୧୫ ବର୍ଷ ହେଲା ବିଜେପି ହାତରେ ଥିବା ବିଶ୍ୱର ସବୁଠାରୁ ବଡ଼ ମହାନଗର ନିଗମ ମଧ୍ୟରୁ ଅନ୍ୟତମ ଏମ୍ସିଡି ଏଥର ଆପ୍ (ଆମ୍ ଆଦମୀ ପାର୍ଟି) ହାତକୁ ଚାଲିଯିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଁଇ ଇଣ୍ଡିଆ, ଟାଇମ୍ସ ନାଓ-ଇଟିଜି ଏବଂ ନ୍ୟୁଜ ଏକ୍ସ-ଜନ୍ କି ବାତ୍ ଏକ୍ଜିଟ ପୋଲ୍ ସର୍ଭେ ଅନୁସାରେ ଏମ୍ସିଡି ନିର୍ବାଚନରେ ଆପ୍କୁ ବିପୁଳ ବହୁମତ ମିଳିବ । ବିଜେପି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ମୂଳପୋଛ ହେବ ବୋଲି ଏକ୍ଜିଟି ପୋଲରେ ଆକଳନ କରାଯାଇଛି ।
ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଏମ୍ସିଡିର ମୋଟ ୨୫୦ ଆସନରୁ ଆପ୍କୁ ୧୪୯-୧୭୧, ବିଜେପିକୁ ୬୯-୯୧ ଏବଂ କଂଗ୍ରେସକୁ ୩-୭ ଆସନ ମିଳିବ । ସେହିଭଳି ଟାଇମ୍ସ ନାଓ-ଇଟିଜି ସର୍ଭେରେ କୁହାଯାଇଛି କି ଆପକୁ ୧୪୬-୧୫୬, ବିଜେପିକୁ ୮୪-୯୪ ଏବଂ କଂଗ୍ରେସକୁ ୬-୧୦ ଆସନ ମିଳିବ । ନ୍ୟୁଜ ଏକ୍ସ-ଜନ କି ବାତ୍ ସର୍ଭେ କହୁଛି ଯେ ଆପ୍ ୧୫୯-୧୭୫, ବିଜେପି ୭୦-୯୨ ଏବଂ କଂଗ୍ରେସ ମାତ୍ର ୪-୭ ଆସନ ପାଇବ । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ୭ ଆସନରେ ଜିତିଥିଲା । ଅନ୍ୟପକ୍ଷରେ କଂଗ୍ରେସ ଓ ଆପ୍ ସେମାନଙ୍କର ଖାତା ଖୋଲିପାରି ନଥିଲେ । ୨୦୨୦ ବିଧାନସଭା ନିର୍ବାଚନରେ ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନରୁ ଆପ୍ ୬୨ଟି ଜିତିଥିଲା ବେଳେ ବିଜେପି ୮ଟି ଆସନ ପାଇଥିଲା । ଏହା ପୂର୍ବରୁ ୨୦୧୫ ନିର୍ବାଚନରେ ଆପ୍ ୬୭ ଓ ବିଜେପି ୩ଟି ଆସନ ଜିତିଥିଲା । ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କୌଣସି ଆସନ ମିଳି ନଥିଲା ।
ଏମ୍ସିଡିର ୨୫୦ ୱାର୍ଡ ପାଇଁ ଗତ ରବିବାର କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା । ମତଦାନ ହାର ୫୦ ଧରୁ ଅଧିକ ରହିଥିଲା । ନିର୍ବାଚନରେ ମୋଟ ୧,୩୪୯ ଜଣ ପ୍ରାର୍ଥୀ ମଇଦାନକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ୭୦୯ ଜଣ ଥିଲେ ମହିଳା ପ୍ରାର୍ଥୀ । ବିଜେପି ଓ ଆପ୍ ସମସ୍ତ ୨୫୦ଟି ୱାର୍ଡରେ ପ୍ରାର୍ଥୀ ଦେଇଥିଲା ବେଳେ କଂଗ୍ରେସ ୨୪୭ ଆସନରେ ନିର୍ବାଚନ ଲଢ଼ିଛି । ସେହିଭଳି ଜେଡିୟୁ ୨୩ ଏବଂ ଏଆଇଏମ୍ଆଇଏମ୍ ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । ବହୁଜନ ସମାଜ ପାର୍ଟି ୧୭୪, ଏନ୍ସିପି ୨୯, ଇଣ୍ଡିଆନ ମୁସଲିମ ଲିଗ୍ ୧୨, ସିପିଆଇ ୩, ଫରୱାର୍ଡ ବ୍ଲକ ୪ ଏବଂ ସମାଜବାଦୀ ପାର୍ଟି ଓ ଏଲ୍ଜେପି (ରାମବିଳାସ) ଗୋଟିଏ ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏହା ବ୍ୟତୀତ ୩୮୨ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି ।