ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର,୨/୩(ସତ୍ୟପାଠ ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର ଜରିଆରେ ନିଜର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡ଼ିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

ସେହିପରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମାନ୍ୟବର ରାଜ୍ୟପାଳ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ନିଜର ନିଖୁଣ ଅଭିନୟ ଦ୍ୱାରା ଘରେ ଘରେ ପରିଚିତ ପିଣ୍ଟୁଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ଜନିତ ଖବର ପାଇବା ପରେ ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଅତ୍ୟନ୍ତ ମର୍ମାହତ ହେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ନନ୍ଦ ଓଡ଼ିଆ ଆଲବମରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିଥିଲେ l ତାଙ୍କର ଏହିପରି ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ମୁହୂର୍ତ୍ତରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଦୁଃଖଦ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଠିକ୍ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସୂଚନା ଯୋଗ୍ୟ ଯେ, ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ନିକଟରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିୟାରି ସାଇନ୍ସ (ଆଇଏଲବିଏସ)ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପିଣ୍ଟୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଶୋଦା ହସ୍ପିଟାଲ୍ ଡାକ୍ତରମାନେ ତାଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ (କାଡେଭର) କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ପିଣ୍ଟୁ ନନ୍ଦଙ୍କୁ ଡୋନର ନମିଳିବାରୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଜଣେ ସଦସ୍ୟ ଲିଭର ଦାନ କରିବାର ଥିଲା। କିନ୍ତୁ ଠିକ ସମୟରେ ବ୍ଲଡ୍ ଗ୍ରୁପ୍ ଅସଙ୍ଗତି ଏବଂ ଅନ୍ୟାନ୍ୟ କାରଣରୁ ତାହା ସମ୍ଭବ ହୋଇପାରିନଥିଲା।

Related Posts