ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷର ଶେଷ ଆଡକୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ କେବଳ ତାରିଖ ଘୋଷଣାକୁ ବାକି ଥିବାବେଳେ ରାଜ୍ୟର ରାଜନୈତିକ ମାହୋଲ ଏବେଠାରୁ ପୂରା ସରଗରମ ରହିଛି। ଏହା ମଧ୍ୟରେ ସବୁଠୁ ବଡ ଖବର ଆସିଛି ଯେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପିର ପାଇଁ ପ୍ରଚାର କରିବେ। ପାର୍ଟି ତରଫରୁ ତାଙ୍କୁ ଷ୍ଟାର ପ୍ରଚାରକ ଭାବେ ଘୋଷିତ କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହାର ସୂଚନା ଦେଇଛନ୍ତି।

କୁଲ୍ଲୁ ରେ ଦଶହରା ଉତ୍ସବର ସମାପନ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜ ସମ୍ବୋଧନରେ କହିଥିଲେ ଯେ, ବିଧାନସଭା ନିର୍ବାଚନରେ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ବିଜେପି ପାଇଁ ପ୍ରଚାର କରିବେ। ରାଲିଗୁଡିକରେ ସେ ଆମର ଷ୍ଟାର ପ୍ରଚାରକ ରହିବେ।

ତେବେ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଅଚାନକ ମନାଲିର ସିମସାରେ କଙ୍ଗନା ରଣାଓ୍ଵତଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହିତ ମନ୍ତ୍ରୀ ଗୋବିନ୍ଦ ଠାକୁର ମଧ୍ୟ ଥିଲେ। ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ କଙ୍ଗନାଙ୍କ ସହ ଆଲୋଚନା କରିଥିଲେ। ଏହି ସାକ୍ଷାତ ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, କଙ୍ଗନା ନିର୍ବାଚନରେ ବିଜେପି ପକ୍ଷରୁ ଆଗାମୀ ନିର୍ବାଚନରେ ପ୍ରଚାର କରି ପାରନ୍ତି। ମୁଖ୍ୟମନ୍ତ୍ରୀ ଏବଂ କଙ୍ଗନା ପକ୍ଷରୁ ଏ ସଂପର୍କରେ କୌଣସି ଆନୁଷ୍ଠାନିକ ବୟାନ ଆସିନଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରୁ ସ୍ପଷ୍ଟ ହୋଇ ଯାଇଛି ଯେ, କଙ୍ଗନା ବିଜେପିର ଷ୍ଟାର ପ୍ରଚାରକ ରହିବେ।