ସୁଯୋଗ ମିଳିଲେ ବିଜେପି ଟିକେଟରେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବି: କଙ୍ଗନା ରାଣାୱତ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜନୀତିରେ ପାଦ ଥାପିବେ ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌। ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ବୋଲି ଆଜି ସେ ଖୋଲା ଖୋଲି କହିଛନ୍ତି। ଯଦି ଲୋକେ ଚାହାନ୍ତି ସେ ନିର୍ବାଚନ ଲଢ଼ିବାକୁ ରାଜି ଅଛନ୍ତି ବୋଲି କଙ୍ଗନା କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି।

ତେବେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜନୀତିରେ ପ୍ରବେଶ କରିବା ଲାଗି ଭାରି ଉତ୍ସାହିତ ଅଛି। ହିମାଚଳର ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଲେ ନିଶ୍ଚୟ ନିର୍ବାଚନ ଲଢ଼ିବି ବୋଲି ସେ କହିଛନ୍ତି। ରାଜନୀତି ମାଧ୍ୟମରେ ଲୋକଙ୍କ ସେବା ପାଇଁ କରିବାକୁ ଇଚ୍ଛା ଅଛିକି ପ୍ରଶ୍ନର ଉତ୍ତରେ ସେ କହିଛନ୍ତି ଯେ, ସବୁ ପ୍ରକାର ଫ୍ଲାଟଫର୍ମକୁ ଓହ୍ଲେଇବାକୁ ମୋର ଇଚ୍ଛା ଅଛି। କଙ୍ଗନା କହିଛନ୍ତି ଯେ, ଏବେ ଯେଉଁଭଳି ସରକାର ଚାଲିଛି, ଯଦି ସରକାର ମୋର ଭାଗିଦାରୀ ଚାହାନ୍ତି ତେବେ ମୁଁ ମଧ୍ୟ ରାଜି ଅଛି। ଯଦି ହିମାଚଳ ପ୍ରଦେଶରୁ ଲୋକଙ୍କ ସେବା ପାଇଁ ମୌକା ମିଳେ ତେବେ ଏହା ମୋ ପାଇଁ ସୌଭାଗ୍ୟ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ପ୍ରଶ୍ନ ହେବାରୁ, ମୋଦି ଜଣେ ମହାପୁରୁଷ ବୋଲି କଙ୍ଗନା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା ଦୁଃଖର ବିଷୟ କି ମୋଦି ଏବଂ ରାହୁଲ ଗାନ୍ଧିଙ୍କୁ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଛି। କିନ୍ତୁ ମୋଦି ଜାଣିଛନ୍ତି ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।

ଆଗକୁ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି। ଏ ସମ୍ପର୍କରେ ମତ ଦେଇ କଙ୍ଗନା କହିଛନ୍ତି ଯେ, ଆମ ଆଦମୀ ପାର୍ଟିର ମିଥ୍ୟା ପ୍ରତିଶ୍ରୁତିରେ ସେଠିକାର ଲୋକେ ଭାସିଯିବେ ନାହିଁ। ସେଠିକାର ଲୋକଙ୍କ ପାଖରେ ନିଜସ୍ୱ ସୌର ଶକ୍ତି ରହିଛି। ତେଣୁ ସେଠାରେ ମାଗଣା ବିଜୁଳି କଥା କହିଲେ ଲୋକେ ଶୁଣିବେ ନାହିଁ। ସେଠାରେ ମାଗଣା ବଣ୍ଟନ କଥାର ଲୋକେ ଶୁଣିବେନି।

ସୂଚନାଯୋଗ୍ୟ ଯେ, ଆଗକୁ କଙ୍ଗନାଙ୍କ ‘ଇମାରଜେନ୍ସି’ ଫିଲ୍ମ ଆସୁଛି। ସେଥିରେ କଙ୍ଗନା ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁପମ ଖେର, ସତିଶ କୌସିକ, ମିଲିନ୍ଦ ସୋମନ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମ ବିଷୟରେ ଏକ ଜାତୀୟ ଗଣମାଧ୍ୟମରେ ଆଲୋଚନା କରିବା ସମୟରେ କଙ୍ଗନା ରାଜନୀତିରେ ପ୍ରବେଶ ନେଇ ସଂକେତ ଦେଇଛନ୍ତି।

Related Posts