ଶ୍ରୀକ୍ଷେତ୍ର ହେଲା ରଣକ୍ଷେତ୍ର

ଧାଡ଼ି ଦର୍ଶନକୁ ବିରୋଧ:ଜଳିଲା ଜଗନ୍ନାଥଧାମ

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପ୍ରତିବାଦରେ ଶ୍ରୀକ୍ଷେତ୍ର ପୁରୀରେ ଜଳିଲା ହିଂସାର ନିଆଁ । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟାର ପ୍ରଥମ ପଦକ୍ଷେପ ଭାବେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ନିଷ୍ପତ୍ତି ପ୍ରତିବାଦରେ ଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଥିଲା ପୁରୀ ବନ୍ଦ ଡାକରା । କିନ୍ତୁ ବନ୍ଦ ବେଳେ ଶ୍ରୀମନ୍ଦିର ସିଂହଦ୍ବାରରୁ ନେଇ ବଡ଼ ଦାଣ୍ଡ, ତମାମ୍‌ ସହରରେ ଭଙ୍ଗାରୁଜା, ପୋଡ଼ାଜଳା, ଲଙ୍କାକାଣ୍ଡ କରିଛନ୍ତି ବିକ୍ଷୋଭକାରୀ । ଏହି କାଣ୍ଡ ବେଳେ ମୁହାଁମୁହିଁ ହୋଇଛନ୍ତି ପୋଲିସ୍‌ ଓ ଆନ୍ଦୋଳନକାରୀ । ଦିନ ତମାମ୍‌ ରଣକ୍ଷେତ୍ର ପାଲଟିଥିଲା ପୁରୀ ।

ସକାଳୁ ପୁରୀ ସହରରେ ବନ୍ଦର ପ୍ରଭାବ ଦେଖାଯାଉଥିଲା । ରାସ୍ତାଘାଟ ଥିଲା ଶୂନା ଶାନ୍‌ । ଅଟୋ କିମ୍ବା ଟାଉନ୍‌ବସ୍‌ ଚାଲୁନଥିଲା । ପ୍ରତିକାରାତ୍ମକ ପଦକ୍ଷେପ ଭାବେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ପୋଲିସ । ଏହାକୁ ନେଇ ଆରମ୍ଭ ହେଲା ଗଣ୍ଡଗୋଳ । ଦୋଳମଣ୍ଡପ ସାହିରୁ ଶତାଧିକ ଲୋକ ବାହାରିଲେ । ସକାଳ ପ୍ରାୟ 9ଟା ବେଳକୁ ସିଂହଦ୍ବାର ଆଗରେ ପହଞ୍ଚିଲେ । ସେଠାରେ ଆରମ୍ଭ କଲେ ବିକ୍ଷୋଭ । କିନ୍ତୁ ଅଚାନକ ଉଗ୍ର ହୋଇ ଉଠିଲେ ଆନ୍ଦୋଳନକାରୀ । ଆରମ୍ଭ କଲେ ଭଙ୍ଗାରୁଜା । ସିଂହଦ୍ବାର ଆଗରେ ଥିବା ବ୍ୟାରିକେଡ୍ ଗଡ଼ାଇଲେ, ସେଠାରେ ଥିବା ମେଟାଲ ଡିଟେକ୍ଟର, ଲଗେଜ୍ ସ୍କାନର ମଧ୍ୟ ଭାଙ୍ଗିଦେଲେ । ସମୟ କ୍ରମେ ଅଧିକ ବଢ଼ିଲା ଉତ୍ତେଜନା । ସିଂହଦ୍ବାର ଆଗରେ ଟାୟାର ଜଳାଇଲେ । କିନ୍ତୁ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ସେତେ ସଂଖ୍ୟାରେ ପୋଲିସ୍ ନ ଥିଲେ । ସିଂହଦ୍ବାର ପାଖରେ ଥିବା ଜୋତା ଷ୍ଟାଣ୍ଡ ସବୁକୁ ଭଙ୍ଗାରୁଜା କରିବା ପରେ ବିକ୍ଷୋଭକାରୀମାନେ ଦଳ ଦଳ ହୋଇ ବଡ଼ଦାଣ୍ଡକୁ ବ୍ୟାପିଗଲେ । ମରିଚିକୋଟ୍ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କଲେ । ଟ୍ରାଫିକ୍ ପୋଷ୍ଟ ସବୁକୁ ଗଡ଼ାଇବା ସହ ବ୍ୟାରିକେଡ୍ ଭାଙ୍ଗିଲେ । ପରେ ସିଂହଦ୍ବାର ଫାଣ୍ଡି ସହ ସୂଚନା କେନ୍ଦ୍ରରେ ଭଙ୍ଗାରୁଜା କଲେ, ସୂଚନା ଓ ଲୋକସଂପର୍କ ଅଫିସରେ ନିଆଁ ଲଗାଇଦେଲେ । ସେପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପଶି ଆସବାବପତ୍ର ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ନିଆଁ ଲିଭାଇବାକୁ ପହଞ୍ଚିଥିବା ଦମକଳ ଗାଡ଼ି ଉପରକୁ ବି ଆକ୍ରମଣ କରିଥିଲେ । ଆନ୍ଦୋଳନକାରୀ ଅଧିକରୁ ଅଧିକ ହିଂସ୍ର ହେଉଥିବାବେଳେ ପୋଲିସ୍‌ ସେମାନଙ୍କୁ ନିୟନ୍ତ୍ରଣ କରିପାରୁନଥିଲା । ମରିଚିକୋଟ ଛକରେ ପୋଲିସ ଉପରକୁ ଢ଼େଲା ମାଡ଼ କଲେ ବିକ୍ଷୋଭକାରୀ । ତା ପରେ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ୍ ଓ ରବର ବୁଲେଟ୍ ମାଡ଼ କଲା ପୋଲିସ । ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହେଲା । ଆନ୍ଦୋଳନକାରୀଙ୍କ ଢ଼େଲା ମାଡ଼ରେ 10ରୁ ଅଧିକ ପୋଲିସ ଅଧିକାରୀଙ୍କ ସହ ସେଠାରେ ଥିବା କେତେକ ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ । ଅନ୍ୟପଟେ ପୋଲିସର ଲାଠି ମାଡ଼ରେ ଆହତ ହୋଇଛନ୍ତି 10ରୁ ଅଧିକ ବିକ୍ଷୋଭକାରୀ ।
କେବଳ ବଡ଼ ଦାଣ୍ଡ ନୁହେଁ ସ୍ଥାନୀୟ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ କଲେଜ ଛକସ୍ଥିତ ବାସଭବନରେ ମଧ୍ୟ ଉତ୍ତକ୍ତ୍ୟ ଲୋକମାନେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେହିପରି ଏସ୍‌ପି ଓ ଜିଲ୍ଲାପାଳଙ୍କ ଅଫିସକୁ ମଧ୍ୟ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିକ୍ଷୋଭକାରୀ । ଜିଲ୍ଲାପାଳଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ, କିନ୍ତୁ ସୁରକ୍ଷାକର୍ମୀଙ୍କ ଯୋଗୁଁ ଏସ୍‌ପି ଅଫିସରେ ପଶିପାରିନଥିଲେ । ହିଂସାତ୍ମକ ସ୍ଥିତି ଦେଖି ସିଂହଦ୍ବାରରୁ ଟାଉନ ଥାନା ଯାଏଁ ଜାରି ହୋଇଥିଲା ୧୪୪ ଧାରା । କିନ୍ତୁ କୌଣସି ଆଇନ କାନୁନକୁ ମାନି ନ ଥିଲେ ଆନ୍ଦୋଳନକାରୀ । ପୁରୀରେ ଏମିତି ସ୍ଥିତି ଯୋଗୁଁ ବହୁ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

Related Posts