ଭାରତ ପାଇଁ ‘ବ୍ରହ୍ମାସ୍ତ୍ର’ ଆଣିବେ ପୁଟିନ୍‌ !

ଏଥର ଭାରତର ଶତ୍ରୁଙ୍କୁ ମିଳିବ ମୁହଁତୋଡ଼ ଜବାବ୍

ଗୁରୁବାର ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସେ ନିଜ ସାଙ୍ଗରେ ଭାରତ ପାଇଁ ଆଣିପାରନ୍ତି ଏକ ବଡ଼ ଜିନିଷ । ତାହା ହେଲା ଏସ୍‌ – ଫୋର୍‌ ହଣ୍ଡ୍ରେଡ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ । ଯାହାକୁ କିଣିବାକୁ ଭାରତ ଦୁଇ ବର୍ଷ ହେଲା ଋଷ ସହ କରିଥିଲା ଚୁକ୍ତି । ଯଦିଓ ଭାରତ ଓ ଋଷ ଭିତରେ ଏହି ଡିଲ୍‌କୁ ନେଇ ଜୋରଦାର ବିରୋଧ କରୁଛି ଆମେରିକା, କିନ୍ତୁ ଆମ ଦେଶର ପ୍ରତିରକ୍ଷା ଦୃଷ୍ଟିରୁ ଏହି ଏୟାର ଡିଫେନ୍ସ ସିଷ୍ଟମ୍‌ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ।

S-400 ଏକ ଏମିତି ଶକ୍ତି ଯାହା ଭାରତର ଶତ୍ରୁ ମାନଙ୍କୁ ଦେବ ମୁହଁତୋଡ଼ ଜବାବ୍‌ । ଏହା ଏକ ଏମିତି ଡିଫେନ୍ସ ସିଷ୍ଟମ୍‌ ଯାହା ଭୂମିରୁ ଆକାଶକୁ ନିକ୍ଷେପ କରାଯିବ ଆଉ ଆଖି ପଲକରେ ଯେ କୌଣସି କ୍ଷେପଣାସ୍ତ୍ର ବା ଫାଇଟର ଜେଟ୍‌କୁ ଧ୍ବଂସ କରିଦେବ । ଏହାକୁ ଭେଦ କରିବା ଶତ୍ରୁ ପକ୍ଷର କୌଣସି କ୍ଷେପଣାସ୍ତ୍ର ବା ଫାଇଟର ଜେଟ୍‌ ପକ୍ଷରେ ସମ୍ଭବ ନୁହେଁ । ଏଣୁ ଏହାକୁ ଭାରତୀୟ ପ୍ରତିରକ୍ଷା ପାଇଁ ବ୍ରହ୍ମାସ୍ତ୍ର ବୋଲି ମଧ୍ୟ କୁହାଯାଉଛି । ପୁଟିନ୍‌ଙ୍କ ଗସ୍ତ କାଳରେ ଋଷ ସହ ଭାରତର ଏହି ଚୁକ୍ତି ଚୂଡ଼ାନ୍ତ ହୋଇପାରେ । ଏହା ବଦଳରେ ଭାରତ ନିଜର ପୁରୁଣା ବନ୍ଧୁ ଋଷକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ରେ ନିର୍ମିତ 3ଟି ମିଗ୍‌ 21 ବିମାନ ଭେଟି ଦେବ ।

କାହିଁକି କୁହାଯାଉଛି ବିନାଶକ ବ୍ରହ୍ମାସ୍ତ୍ର ?

S-400 ଟ୍ରମ୍ଫ ମଲ୍‌ଟି ବ୍ୟାରେଲ୍‌ ଆଡଭାନ୍ସଡ୍‌ ସିଷ୍ଟମ୍‌ ହେଉଛି ଭୂମିରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ମିସାଇଲ୍‌ ସିଷ୍ଟମ୍‌ ।
ଏହାର ଲକ୍ଷ୍ୟଭେଦୀ କ୍ଷମତା 400 କିମି । ଏହା ଯେ କୌଣସି କ୍ଷେପଣାସ୍ତ୍ର ଓ ଫାଇଟର ଜେଟ୍‌କୁ ଧ୍ବସଂ କରିଦେଇପାରେ ।
S-400 ଟ୍ରମ୍ଫ ଋଷର ଏ ଯାଏଁ ସବୁଠାରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍‌ । ଯାହାର ନିର୍ମାଣ କରୁଛି ଋଷର ଅଲ୍‌ମାଝ-ଏଣ୍ଟେ ନାମକ କମ୍ପାନୀ । 5ଟି S-400 ଟ୍ରମ୍ଫ କିଣିବାକୁ ଭାରତ ଋଷ ସହ 5.5 ଅରବ୍‌ ଡଲାର୍‌ର ଚୁକ୍ତି ଚୂଡ଼ାନ୍ତ କରିପାରେ ।

ଭାରତ-ଋଷ ଚୁକ୍ତିକୁ ଆମେରିକାର ବିରୋଧ

ଆମେରିକାର ମଂଜୁରୀ ବିନା ଭାରତ ପକ୍ଷରେ S-400 ଟ୍ରମ୍ଫ କିଣିବା କଷ୍ଟକର । ଋଷ ସହ ସାମରିକ ଚୁକ୍ତି କରିବା ଦେଶ ଉପରେ ପ୍ରତିବନ୍ଧକ ଲଗାଇପାରେ ଆମେରିକା । କ୍ରିମିୟା ଓ ସିରିୟା ସଙ୍କଟ ଦୃଷ୍ଟିରୁ ଆମେରିକା କରିଛି ନୂଆ ନିୟମ ।
ଆମେରିକା ଏହି ଗୁରୁତ୍ବପୂର୍ଣ୍ଣ ଡିଲ୍‌କୁ ନେଇ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ବି ଦେଇସାରିଛି ।

ଆମେରିକୀୟ ନିୟମ ଋଷଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଭାରତ ସମେତ ସମସ୍ତ ଦେଶଙ୍କ ପାଇଁ କୌଣସି ଗ୍ରହଣଠାରୁ କମ୍‌ ନୁହେଁ, ଖାସ୍‌ କରି ଭାରତ ପାଇଁ ଯାହାର ପଡ଼ୋଶୀରେ ଦୁଇ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଅଛନ୍ତି, ଯେଉଁମାନଙ୍କ ସହ ଭାରତ ଯୁଦ୍ଧ ଲଢ଼ି ସାରିଛି । ଏହାଛଡ଼ା ଚୀନ୍‌ ପୂର୍ବରୁ ଋଷଠାରୁ S-400 କିଣି ସାରିଛି । ଭାରତ ପାଇଁ ଏହି ଡିଲ୍‌ ପାଲଟିଛି ଅଧିକ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଭାରତ ନିଜ ସୁରକ୍ଷା ଦୃଷ୍ଟିରୁ ଆମେରିକାକୁ କହିଛି ଯେ ଭାରତ ଅଚାନକ ଋଷ ଉପରେ ନିଜର ନିର୍ଭରଶୀଳତା ଶେଷ କରିପାରିବ ନାହିଁ । ଋଷ ସହ ଦଶକ ଦଶକ ଧରି ଭାରତ ଅସ୍ତ୍ରଶସ୍ତ୍ର କିଣି ଆସିଛି । ଏମିତିରେ ଆମେରିକା ନିଜର ନୂଆ ନୂଆ ନିୟମ କୋହଳ କରିବା ଉଚିତ ।

Related Posts