ମୁମ୍ବାଇ : ମହାରାଷ୍ଟ୍ର ମହାନାଟକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ୍‌ ଜିତିଛନ୍ତି | ପରେ ନବନିର୍ବାଚିତ ବାଚସ୍ପତି ରାହୁଲ ନର୍ବେକରଙ୍କ ନିକଟରେ ଏକ ଆବେଦନ କରିଥିଲେ | ସିନ୍ଦେ ସରକାରକୁ ସମର୍ଥନ କରିବାପାଇଁ ଜାରି ହୋଇଥିବା ହ୍ବିପ୍‌କୁ ଅମାନ୍ୟ କରିଥିବାରୁ ଠାକ୍‌ରେ ଗୋଷ୍ଠୀର ୧୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସେମାନେ ବାଚସ୍ପତିଙ୍କୁ ‌ନିବେଦନ କରିଥିଲେ |

ତେବେ ନିବେଦନ କରାଯାଇଥିବା ୧୬ ବିଧାୟକଙ୍କ ମଧ୍ୟରେ ଆଦିତ୍ୟ ଠାକ୍‌ରଙ୍କ ନାଁ ନଥିବା ଜଣାପଡିଛି | ନୂଆ ମୁଖ୍ୟ ହ୍ବିପ୍‌ ଭରତ ଗୋଗୱାଲେ କହିଛନ୍ତି, ଆଦିତ୍ୟ ଠାକ୍‌ରେଙ୍କୁ ଛାଡ଼ିଦେଲେ ହ୍ବିପ୍‌କୁ ଅମାନ୍ୟ କରିଥିବା‌ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ଆମେ ନୋଟିସ୍‌ କରିଛୁ। ଦଳର ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ପ୍ରତି ଥିବା ସମ୍ମାନ ପାଇଁ ଆଦିତ୍ୟ ‌ଠାକ୍‌ରେଙ୍କୁ ଅଯୋଗ୍ୟ ଘୋଷଣା ନିମନ୍ତେ ନୋଟିସ୍‌ ଜାରି ହୋଇନି ବୋଲି ସେ କହିଛନ୍ତି |

ଆଦିତ୍ୟ ଠାକ୍‌ରେଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। ସିନ୍ଦେ ଗୋଷ୍ଠୀ କହିଛନ୍ତି, ସେମାନେ ହିଁ ବାସ୍ତବ ଶିବସେନା |