ଭାରତ ଯୋଡ଼ ଯାତ୍ରା; ରାହୁଲ ଗାନ୍ଧୀଙ୍କ ସହ ଯୋଗଦେଲେ ଆଦିତ୍ୟ ଠାକରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ବାହାରି ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ଆଜି ମହାରାଷ୍ଟ୍ରରେ ଏହି ଯାତ୍ରାର ପଞ୍ଚମ ଦିନରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଛନ୍ତି ଶିବସେନା ନେତା ତଥା ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ। ଆଦିତ୍ୟ ମହାରାଷ୍ଟ୍ର ହିଙ୍ଗୋଳୀର କଲମ୍ନୁରୀ ଠାରେ ଯାତ୍ରାରେ ଯୋଗ ଦେଇଛନ୍ତି ।

ଆଦିତ୍ୟଙ୍କ ସହିତ ମହାରାଷ୍ଟ୍ରର ବିରୋଧୀ ଦଳର ନେତା ଅମ୍ବାଦାସ ଦାନଭେ ଓ ପୂର୍ବତନ ବିଧାୟକ ସଚିନ ଅହିର ମଧ୍ୟ ଏହି ଏହି ଯାତ୍ରାରେ ଯୋଗ ଦେଇ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି। କେବଳ ଆଦିତ୍ୟ ନୁହଁନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଏହି ଯାତ୍ରାରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି। କଂଗ୍ରେସର ଏହି ଯାତ୍ରା ୬୫ ଦିନରେ ପହଞ୍ଚିଛି।

ସେପଟେ ମହାରାଷ୍ଟ୍ରରେ ଏନସିପି ପକ୍ଷରୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ଏହି ଯାତ୍ରାରେ ନେତା ମାନେ ଯୋଗ ଦେଇଥିଲେ। ଏନସିପି ପକ୍ଷରୁ ଦଳର ସଂସଦ ତଥା ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଓ ଦଳର କିଛି ବରିଷ୍ଠ ନେତା ଏହି ଯାତ୍ରାରେ ଗତକାଲି ଯୋଗ ଦେଇଥିଲେ। ତେବେ ପ୍ରଥମେ ଏନସିପି ସୁପ୍ରିମୋ ଶରଦ ପାୱାର ଏହି ଯାତ୍ରାରେ ଯୋଗ ଦେବାକୁ ଘୋଷଣା କରିଥିଲେ ମଧ୍ୟ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏହି ଯାତ୍ରାରେ ଯୋଗଦେଇ ପାରିନାହାନ୍ତି।

ତେବେ ପୂର୍ବରୁ କଂଗ୍ରେସ ଏନ୍‌ସିପି ଓ ଶିବସେନା ମିଶି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଥିଲେ। ହେଲେ ଏକନାଥ ସିନ୍ଦେ ବିଦ୍ରୋହ କରି ସରକାର ଭାଙ୍ଗିବାରୁ ସରକାର ଗଡ଼ିଯାଇଥିଲା। ଏବେ ରାଜ୍ୟରେ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଓ ସିନ୍ଦେଙ୍କୁ ଶିବସେନା ମଧ୍ୟରେ ଟଣାଓଟରା ଜାରି ରହିଥିବା ବେଳେ ଆଦିତ୍ୟଙ୍କର କଂଗ୍ରେସ ରାଲିରେ ଯୋଗ ଦେବା ଆଗକୁ ମହାରାଷ୍ଟ୍ରରେ ଦୁଇ ଦଳର ମେଣ୍ଟକୁ ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି।

Related Posts