ଚର୍ଚ୍ଚାରେ ତେଜସ୍ଵୀ-ଆଦିତ୍ୟ ଭେଟଘାଟ; ମୁମ୍ବାଇ ପୌର ନିର୍ବାଚନରେ ଉଦ୍ଧବ ଗୋଷ୍ଠୀଙ୍କ ପାଇଁ ପ୍ରଚାର କରିବେ ତେଜସ୍ଵୀ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ବିହାରର ରାଜଧାନୀ ପାଟନାରେ ଶିବସେନା ନେତା ଆଦିତ୍ୟ ଠାକରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ। ଏହି ଭେଟଘାଟ ନେଇ ଶିବସେନା କହିଛି ଯେ, ଏହା ଏକ ସୈଜନ୍ୟମୂଳକ ବୈଠକ, ଯେଉଁଥିରେ କୌଣସି ରାଜନୈତିକ ଆଲୋଚନା ହୋଇନଥିଲା। ତେବେ ନିଜ ଦଳର ସାଂସଦ ଅନୀଲ ଦେଶାଇ ଏବଂ ପ୍ରିୟଙ୍କା ଚତୁର୍ବେଦୀଙ୍କ ସହ ଆଦିତ୍ୟ ଠାକରେ ତାଙ୍କ ପାଟନା ଗସ୍ତରେ ତେଜସ୍ଵୀଙ୍କୁ ଭେଟି ଲମ୍ବା ସମୟ ଧରି ଆଲୋଚନା କରିଥିଲେ।

ଆଗକୁ ମୁମ୍ବାଇରେ ଥିବା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଠାକରେଙ୍କ ବିହାର ଯାତ୍ରା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଠକ ପୂର୍ବରୁ ଆଦିତ୍ୟ ଠାକରେ କହିଥିଲେ ଯେ, ‘ତେଜସ୍ୱୀ ଏବଂ ମୁଁ ସମାନ ବୟସର। ମୁଁ ଯେତେବେଳେ ସରକାରରେ ମନ୍ତ୍ରୀ ଥିଲି ସେତେବେଳେ ତେଜସ୍ଵୀ ବିହାରର ବିରୋଧୀ ଦଳ ନେତା ଥିଲେ। ସେ ସମୟରୁ ଆମେ ଫୋନରେ କଥା ହୋଇଆସୁଛୁ। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର। ମୁଁ ତେଜସ୍ଵୀଙ୍କୁ ମହାରାଷ୍ଟ୍ର ଆସିବାକୁ ନିମନ୍ତ୍ରଣ କରିବି।’

ସେପଟେ ଏହି ସୈଜନ୍ୟମୂଳକ ବୈଠକ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ପୂର୍ବରୁ ବସିଥିବାରୁ ରାଜନୈତିକ ଉତ୍ତାପକୁ ବଢ଼ାଇ ଦେଇଛି। କାରଣ ବିହାର ଭେଟେରମାନେ ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଦିତ୍ୟ ଠାକରେ ତେଜସ୍ୱୀ ଯାଦବଙ୍କୁ ମହାରାଷ୍ଟ୍ରକୁ ଆସିବାକୁ ନିମନ୍ତ୍ରଣ କରିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ତେଜସ୍ୱୀ କହିଛନ୍ତି ଯେ, ମହାରାଷ୍ଟ୍ରର ପୌର ନିର୍ବାଚନରେ ​​ଆମେ ସମସ୍ତେ ସେଠାକୁ ଯିବୁ। ତେବେ ଶିବସେନା (ଉଦ୍ଧବ ଦଳ) ବର୍ତ୍ତମାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନକୁ ନିୟନ୍ତ୍ରଣରେ ରଖିଛନ୍ତି। ହେଲେ ବର୍ତ୍ତମାନ ଶିବସେନା ଦୁଇଭାଗ ହୋଇଯାଇଥିବାରୁ ଆଗାମୀ ନିର୍ବାଚନରେ ​​ବିହାରୀ ଭେଟେରଙ୍କ ଉପରେ ନଜର ରଖାଯାଇଛି। ତେଜସ୍ଵୀଙ୍କ ଜରିଆରେ ବିହାରୀ ଭୋଟରଙ୍କ ଭୋଟ ନିଜ ସପକ୍ଷକୁ ଆଣିବାକୁ ଶିବସେନା ( ଉଦ୍ଧବ ଗୋଷ୍ଠୀ ) ଯୋଜନା କରୁଥିବା କୁହାଯାଉଛି।

ତେବେ ବୁଧବାର ଶିବସେନା ( ଉଦ୍ଧବ ଗୋଷ୍ଠୀ ) ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ, ପୂର୍ବ ଏମଭିଏ ସରକାର ସମୟରେ ବିହାରବାସୀଙ୍କ ବିରୋଧରେ ମହାରାଷ୍ଟ୍ରରେ କୌଣସି ହିଂସା ଘଟି ନାହିଁ। ବୁଧବାର ଦିନ ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ଭେଟିବା ପରେ ଠାକରେ କହିଛନ୍ତି ଯେ, ମହାବିକାଶ ଅଘାଡ଼ି ସରକାର ସମୟରେ ବିହାରୀଙ୍କ ବିରୋଧରେ ଏପରି ହିଂସା ଘଟଣା ଘଟି ନଥିଲା। ଆମେ ଏକାଠି ବାସ କରୁଛୁ ଏବଂ ପରସ୍ପରକୁ ସମ୍ମାନ ଦେଉଛୁ।

ଠାକରେ ଆହୁରି କହିଛନ୍ତି ଯେ, ‘ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବ ବିହାରରେ ବହୁତ ଭଲ କାମ କରୁଛନ୍ତି। ତେଜସ୍ବୀ ଏବଂ ମୁଁ ଦେଶର ଯୁବ ନେତା ଏବଂ ଆମେ ଲମ୍ବା ଦୌଡ଼ର ଘୋଡା। ଆମେ ଫୋନରେ କଥା ହୋଇ ଦେଶର ବିକାଶ ଏବଂ ରାଜନୀତି ସହ ଜଡିତ ଅନେକ ବିଷୟ ଉପରେ ଆଲୋଚନା କରୁଥିଲୁ ଏବଂ ଭବିଷ୍ୟତରେ ଆମର ବନ୍ଧୁତା ମଧ୍ୟ ଜାରି ରହିବ।’

ସେପଟେ ତେଜସ୍ୱୀ ଯାଦବ କହିଛନ୍ତି, ‘ମହାବିକାଶ ଅଘାଡି ସରକାରକୁ ହଟାଇବା ପାଇଁ ମହାରାଷ୍ଟ୍ରରେ ବିଜେପି କିପରି ଟଙ୍କା ଭୂମିକା ଗ୍ରହଣ କରିଛି ତାହା ସମସ୍ତେ ଦେଖିଛନ୍ତି। ଆମେ ବିହାରରେ ବିଜେପିକୁ ଏକ ଶିକ୍ଷା ଦେଇଛୁ। ଶାନ୍ତି ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ଆମର କେବଳ ଗୋଟିଏ ଏଜେଣ୍ଡା ଅଛି। ଆମ ଦେଶ ବିକାଶର ପଥରେ ଚାଲିବ। ଆମେ ବିକାଶର ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଁଛୁ।’

Related Posts