ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି!; ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଇଡି

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ବାଜ୍ୟାପ୍ତି ହେବ କି ଅର୍ଚ୍ଚନାଙ୍କ ସମ୍ପତ୍ତି? ଏହାସହିତ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ ଓ ଖଗେଶ୍ଵରଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହୋଇପାରେ। ଏନେଇ ଏହି ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ଇଡି। ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ସେନେଇ ଜଣାଇବାକୁ ନୋଟିସ୍‌ରେ କୁହାଯାଇଛି। ତେବେ ଏତେ କମ୍ ଦିନ ମଧ୍ୟରେ ଏହି ଦମ୍ପତି କିଭଳି କୋଟିପତି ହେଲେ ତାର ଖୁଲାସା କରିବାକୁ ଉଭୟଙ୍କୁ ଏକାଧିକ ବାର ରିମାଣ୍ଡରେ ଆଣି ଜେରା କରିସାରିଛି ଇଡି। ଏହି ୩ଜଣଙ୍କ ସମସ୍ତ ସମ୍ପତ୍ତି ଜବତ କରି ଏବେ ତଦନ୍ତ ଚଳାଇଛି ଇଡି।

ସେପଟେ ତୃତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ଵାଇଁ। ପ୍ରମୋଦ ଇଡିରେ ଦେଇଥିବା ବୟାନ ସହ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବୟାନ ମେଳ ଖାଉ ନଥିବା ସୂଚନା ମିଳିଛି। ସେଥିପାଇଁ ପ୍ରମୋଦଙ୍କୁ ଡାକି ଜେରା କରୁଛି ଇଡି। ୨୦୧୭ ମସିହାରେ ଅର୍ଚ୍ଚନାଙ୍କୁ ଘରଭଡ଼ା ଦେଇଥିଲେ ପ୍ରମୋଦ। ଘର ଖାଲି କରିବାକୁ କେନ୍ଦ୍ର କରି ପ୍ରମୋଦଙ୍କୁ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା। ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ସୂଚନା ଥାଉକି, ଅର୍ଚ୍ଚନା ନାଗ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଗତ ଅକ୍ଟୋବର ୬ ତାରିଖରୁ ସେ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର କୌଣସି ପ୍ରମାଣ ନାହିଁ। ତାଙ୍କର ଏକ ୫ ବର୍ଷର ଶିଶୁ ଅଛି। ଜେଲରେ ରହୁଥିବାରୁ ତାଙ୍କର ମାନସିକ ଓ ପାରିବାରିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ତେଣୁ ତାଙ୍କୁ ଜାମିନ ପ୍ରଦାନ କରିବାକୁ ଦାବି ହୋଇଛି।

Related Posts