ଅଫ୍‌ତାବର ହେବ ନାର୍କୋ ଟେଷ୍ଟ୍‌: ପଚରାଯିବ ୫୧ଟି ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଘଟଣାକୁ ନେଇ ପୋଲିସ ତଦନ୍ତ ପକ୍ରିୟାକୁ ଜୋରଦାର କରିଥିବା ବେଳେ, ଅଭିଯୁକ୍ତ ଅଫ୍‌ତାବ ଆମିନ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ନାନା ଚାଲ୍‌ ଖେଳୁଥିବା ଜଣାପଡ଼ିଛି। ଅଫ୍‌ତାବ ଶ୍ରଦ୍ଧାଙ୍କ ହତ୍ୟା ସ୍ବୀକାର କରିଥିଲେ ମଧ୍ୟ ଶବକୁ ନଷ୍ଟ କରିବା ମାମଲାରେ ଭିନ୍ନ ଭିନ୍ନ ବୟାନ ଦେବାରେ ଲାଗିଛି। ତେବେ ସବୁ ରହସ୍ୟର ପର୍ଦ୍ଦାଫାସ ପାଇଁ ପୁଲିସ ଅଫ୍‌ତାବର ନାର୍କୋ ଟେଷ୍ଟ୍‌ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଟେଷ୍ଟ୍‌ରେ ଅଫ୍‌ତାବକୁ ୫୧ଟି ପ୍ରଶ୍ନ ପଚରାଯିବ। ଦିଲ୍ଲୀର ଆମ୍ବେଦକର ହସ୍ପିଟାଲରେ ଆସନ୍ତାକାଲି ନାର୍କୋ ଟେଷ୍ଟ୍‌ କରାଯିବା ସମ୍ଭାବନା ରହିଛି। ଏହି ନାର୍କୋ ଟେଷ୍ଟ୍‌ର ଭିଡିଓଗ୍ରାଫି କରିବା ପାଇଁ ଫରେନ୍ସିକ ସାଇନ୍ସ ଲେବୋରେଟୋରି (ଏଫ୍‌ଏସ୍‌ଏଲ୍‌) ଟିମ୍‌କୁ ଅନୁରୋଧ କରାଯାଇଛି।

ଗତକାଲି ଅଫ୍‌ତାବକୁ ହୋଇଥିବା ଜେରାରେ ସେ କେତେକ ନୂଆ ତଥ୍ୟ ଦେଇଛି। ସେ କହିଛି ଯେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୨୩ ମେ’ରେ ସେ ପୂରା ଫ୍ଲାଟ୍‌ ସଫା କରିଥିଲା ଏବଂ ଶ୍ରଦ୍ଧାଙ୍କର ସମସ୍ତ ଜିନିଷ ଖୋଜି ଖୋଜି ନଷ୍ଟ କରିଥିଲା। ଶ୍ରଦ୍ଧାଙ୍କ ପ୍ରତି ତା’ ମନରେ ପ୍ରବଳ ଘୃଣା ଆସିଥିବାରୁ ସେ ଏଭଳି କରିଥିବା ପ୍ରକାଶ କରିଛି। ଶ୍ରଦ୍ଧାଙ୍କ ବିଭିନ୍ନ ଫଟୋକୁ ସେ ଜଳାଇ ଦେଇଥିବା କହିଛି। ତେବେ ଶବକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଏହାକୁ ଫୋପାଡ଼ିବା ପାଇଁ ଯେଉଁସବୁ ପଦକ୍ଷେପ ନେଇଥି‌ଲା ସେ ନେଇ ଭିନ୍ନ ଭିନ୍ନ ବୟାନ ଦେଇଥିବାରୁ ପୁଲିସ ଏବେ ନାର୍କୋ ଟେଷ୍ଟ୍‌କୁ ଅପେକ୍ଷା କରିଛି। ଇତିମଧ୍ୟରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ଅଫ୍‌ତାବର ସହକର୍ମୀ ଏବଂ ବନ୍ଧୁମାନଙ୍କୁ ତା’ ବାବଦରେ ପଚରାଉଚରା କରୁଛି। ଶ୍ରଦ୍ଧା କାମ କରୁଥିବା ଅଫିସର କର୍ମଚାରୀଙ୍କଠାରୁ ଜଣାପଡ଼ିଛି ଯେ ଘରୋଇ ହିଂସାର ଶିକାର ହେଉଥିଲେ ମଧ୍ୟ ଶ୍ରଦ୍ଧା ସ୍ବାଭାବିକ ଥିଲେ ଏବଂ ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଥିଲେ।

Related Posts