କଟକରେ ଜୁଆ ଆଡ୍ଡାରେ ପୋଲିସର ଚଢ଼ଉ; ୩୦ ଜୁଆଡ଼ି ଗିରଫ, ୮ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ଜଗତପୁର ଥାନା ଅନ୍ତର୍ଗତ ଶିକାରିପୁରଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ୩୦ ଜଣ ଜୁଆଡ଼ିଙ୍କୁ ଅଟକ ରଖିଛି ପୋଲିସ । ସେଠାରୁ ପ୍ରାୟ ୮ଲକ୍ଷ ଟଙ୍କା, ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ତେବେ ମାଲ୍‌ଗୋଦାମ ଥାନା ପୁଲିସକୁ ସୂଚନା ମିଳିଲା ଯେ, ରାଣୀହାଟ ଅଞ୍ଚଳର ଜଣେ ପେସାଦାର ଜୁଆଡ଼ି ଯିଏକି ପୂର୍ବରୁ ଜୁଆଆଡ୍ଡା ଚଲାଉଥିଲା ସେ ଏବେ ଜଗତପୁର ଅଞ୍ଚଳରେ ତାର ନୂଆ ଆଡ୍ଡା କରି ଜୁଆ ଖେଳ କରୁଛି । ଏହି କ୍ରମରେ ଜଗତପୁର ପୁଲିସ ଓ ସ୍ପେସାଲ୍‌ ସ୍କ୍ୱାଡ୍‌ ସହିତ ମାଲ୍‌ଗୋଦାମ ଥାନା ପୁଲିସ ଜଗତପୁର ଶିକାରିପୁରରେ ଥିବା ଏକ ପରିତ୍ୟକ୍ତ କୋଠାରେ ରବିବାର ସନ୍ଧ୍ୟାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଉକ୍ତ କୋଠାରେ ପ୍ରାୟ ୩୦ ଜଣ ଜୁଆ ଖେଳୁଥିଲେ । ପୁଲିସର ଅତର୍କିତ ଚଡ଼ଉ କାରଣରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସିପାରି ନଥିଲେ । ସେମାନଙ୍କୁ ପୁଲିସ କାବୁ କରିବା ସହିତ ଲକ୍ଷାଧିକ ଟଙ୍କା, ମୋବାଇଲ୍‌ ଓ ବାଇକ୍‌ ଜବତ କରିଛି ।

ଏହି ୩୦ ଜଣଙ୍କୁ ଜଗତପୁର ଥାନାରେ ବର୍ତ୍ତମାନ ଅଟକ ରଖାଯାଇଛି । ଅଟକ ଥିବା ଯୁବକମାନଙ୍କ ମଧ୍ୟରୁ ଅଧିକାଂଶ କଟକ ସହରର । ଏନେଇ ପୁଲିସ ଅଧିକ ତଦନ୍ତ କରୁଛି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Related Posts